ଶ୍ରୀନଗର: ଜମ୍ମୁ-କାଶ୍ମୀରର ବାରାମୁଲ୍ଲା ଜିଲ୍ଲା ଅନ୍ତର୍ଗତ ଉରି ସେକ୍ଟରରେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ନିୟନ୍ତ୍ରଣ ରେଖା (LoC) ନିକଟରେ ଘଟିଥିବା ଏକ ଆକସ୍ମିକ ବିସ୍ଫୋରଣରେ ଦୁଇ ଜଣ ଭାରତୀୟ ସେନା ଜବାନ ଶହୀଦ ହୋଇଛନ୍ତି। ବୁଧବାର ଦିନ ଏହି ଦୁର୍ଘଟଣା ଘଟିଥିବା ନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି।ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଉରି ସେକ୍ଟରର କମଲକୋଟ୍ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ଦୁଇ ଜଣ ଜବାନ ଗୁରୁତର ଭାବେ ଆହତ ହୋଇଥିଲେ।

ମହାରାଷ୍ଟ୍ରର ଥିଲେ ଦୁଇ ଶହୀଦ ଜବାନଶହୀଦ ହୋଇଥିବା ଦୁଇ ସେନା କର୍ମଚାରୀ ହେଲେ ଅର୍ଜୁନ ଯାଦବ ଏବଂ ବିକ୍ରମ ବାଲକ୍ରିଷ୍ଣା। ସେମାନେ ଉଭୟ ମହାରାଷ୍ଟ୍ରର ବାସିନ୍ଦା ଥିଲେ ଏବଂ ଭାରତୀୟ ସେନାର ୮ ରାଷ୍ଟ୍ରୀୟ ରାଇଫଲ୍ସ (8 RR)ରେ କାର୍ଯ୍ୟରତ ଥିଲେ। “ବିସ୍ଫୋରଣ ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଶ୍ରୀନଗରର ବାଦାମୀବାଗ୍ କାଣ୍ଟନମେଣ୍ଟସ୍ଥିତ ସେନାର ବେସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଙ୍କ ଆପ୍ରାଣ ଚେଷ୍ଟା ସତ୍ତ୍ୱେ ସେମାନଙ୍କୁ ବଞ୍ଚାଯାଇ ପାରିନାହିଁ,” ବୋଲି ସେନା ସୂତ୍ରରୁ ପ୍ରକାଶ।

ତେବେ ଏହି ଆକସ୍ମିକ ବିସ୍ଫୋରଣ କେଉଁ ପରିସ୍ଥିତିରେ ଏବଂ କିପରି ଘଟିଲା, ସେ ନେଇ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି। ଜମ୍ମୁ-କାଶ୍ମୀରର କାଶ୍ମୀର ଅଞ୍ଚଳରେ (ବାରାମୁଲ୍ଲା, କୁପୱାଡା ଓ ବାନ୍ଦିପୋରା) ଏବଂ ଜମ୍ମୁ ଅଞ୍ଚଳରେ (ପୁଞ୍ଚ, ରାଜୌରୀ ଓ ଜମ୍ମୁର କିଛି ଅଂଶ) ପ୍ରାୟ ୭୪୦ କିଲୋମିଟର ଦୀର୍ଘ LoC ରହିଛି, ଯାହାକୁ ଭାରତୀୟ ସେନା ଜଗି ରହିଛି। ଜମ୍ମୁ ଡିଭିଜନର ସାମ୍ବା, ଜମ୍ମୁ ଏବଂ କଥୁଆ ଜିଲ୍ଲା ଦେଇ ପ୍ରାୟ ୨୪୦ କିଲୋମିଟର ଲମ୍ବର ଆନ୍ତର୍ଜାତୀୟ ସୀମା ରହିଛି, ଯାହାର ସୁରକ୍ଷା ଦାୟିତ୍ୱ ସୀମା ସୁରକ୍ଷା ବଳ (BSF) ଉପରେ ରହିଛି।

ସୀମାପାରରୁ ହେଉଥିବା ଅନୁପ୍ରବେଶ, ଚୋରା ଚାଲାଣ ଏବଂ ଡ୍ରୋନ୍ କାର୍ଯ୍ୟକଳାପକୁ ରୋକିବା ପାଇଁ ଭାରତୀୟ ସେନା ଏବଂ BSF ସଦାସର୍ବଦା ସୀମାରେ ମୁତୟନ ଅଛନ୍ତି। ପାକିସ୍ତାନୀ ସେନାର ସହାୟତାରେ ଆତଙ୍କବାଦୀ ସଂଗଠନଗୁଡ଼ିକ ଭାରତୀୟ ସୀମା ମଧ୍ୟକୁ ଡ୍ରୋନ୍ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ନଗଦ ଟଙ୍କା ଏବଂ ନିଶାଦ୍ରବ୍ୟ ପଠାଇବାକୁ ଚେଷ୍ଟା କରୁଛନ୍ତି। ଏହି ବିପଦକୁ ଏଡ଼ାଇବା ପାଇଁ LoC ଏବଂ ଆନ୍ତର୍ଜାତୀୟ ସୀମାରେ ହାଇଟେକ୍ ଆଣ୍ଟି-ଡ୍ରୋନ୍ ଉପକରଣ ଖଞ୍ଜାଯାଇଛି।

ସୀମାପାରରୁ ଆସୁଥିବା ଏହି ବେଆଇନ ସାମଗ୍ରୀଗୁଡ଼ିକୁ ସ୍ଥାନୀୟ ଓଭରଗ୍ରାଉଣ୍ଡ ୱାର୍କର୍ସ (OGWs) ମାନେ ସଂଗ୍ରହ କରି ଜମ୍ମୁ-କାଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ପାଖକୁ ପହଞ୍ଚାଇଥାନ୍ତି, ଯାହା ଦ୍ୱାରା ସେଠାରେ ଆତଙ୍କବାଦକୁ ବଞ୍ଚାଇ ରଖାଯାଇପାରିବ। ତେବେ ଭାରତୀୟ ସୁରକ୍ଷାକର୍ମୀ ଏହି ସମସ୍ତ ଚକ୍ରାନ୍ତକୁ ପଣ୍ଡ କରିବା ପାଇଁ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି।