ରାଞ୍ଚି: ଛାତ୍ର ଓ ଚାକିରି ଆଶାୟୀଙ୍କ ଆନ୍ଦୋଳନ ମଧ୍ୟରେ ଝାଡ଼ଖଣ୍ଡ ସରକାର ଜେଏସ୍‌ଏସ୍‌ସି-ସିଜିଏଲ୍‌ ପରୀକ୍ଷା ବାତିଲ କରିଛନ୍ତି। ଏଥିସହ ୨୦୧୪ ମସିହାରୁ ଟିଡିପିଏଲ୍‌ ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷାରେ ହୋଇଥିବା ଅନିୟମିତତାର ତଦନ୍ତ ସିଆଇଡି କରିବ ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଘୋଷଣା କରିଛନ୍ତି।

ଏହା ସହିତ ପରୀକ୍ଷାରେ ହୋଇଥିବା ଅନିୟମିତତାର ପୃଥକ୍‌ ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯିବ। ଟିଡିପିଏଲ୍‌ ଦ୍ୱାରା ପରିଚାଳିତ ଓ ପ୍ରକାଶିତ ସମସ୍ତ ପରୀକ୍ଷା ଏବଂ ସେଗୁଡ଼ିକର ଫଳାଫଳକୁ ମଧ୍ୟ ବାତିଲ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏସ୍‌ଓପି ଥିଲେ ମଧ୍ୟ ହୋଇନି ପାଳନ

ମୁଖ୍ୟମନ୍ତ୍ରୀ ସୋରେନ କହିଛନ୍ତି, ପରୀକ୍ଷା ପରିଚାଳନା ପାଇଁ ସରକାରଙ୍କର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟର (ଏସ୍‌ଓପି) ରହିଥିଲା। କିନ୍ତୁ ଏହାକୁ ଠିକ୍‌ ଭାବେ ପାଳନ କରାଯାଇନଥିବା ଅଭିଯୋଗ ଆସିଛି। ତେଣୁ ଆଗାମୀ ଦିନରେ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ଉପରେ ସରକାର ଗୁରୁତ୍ୱ ଦେବେ।

ପରୀକ୍ଷା ସଂସ୍କାର ପ୍ରକ୍ରିୟାର ନେତୃତ୍ୱ ଅମିତାଭ କୌଶଲ ନେବେ ବୋଲି ମଧ୍ୟ ସୋରେନ ଘୋଷଣା କରିଛନ୍ତି।

ଦୀର୍ଘଦିନ ଧରି ଚାଲିଛି ଆନ୍ଦୋଳନ

ଝାଡ଼ଖଣ୍ଡରେ ୨୦୧୯ ମସିହାରୁ ବିଭିନ୍ନ ରାଜ୍ୟସ୍ତରୀୟ ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଆନ୍ଦୋଳନ ଚାଲିଆସୁଛି। ଅନେକ ପରୀକ୍ଷା ବାତିଲ, ସିବିଆଇ ତଦନ୍ତ ଏବଂ ଜେପିଏସ୍‌ସି ଓ ଜେଏସ୍‌ଏସ୍‌ସିରେ ସଂସ୍କାର ଆଣିବା ଦାବିରେ ଛାତ୍ର ଓ ଚାକିରି ଆଶାୟୀମାନେ ରାଞ୍ଚିରେ ଆନ୍ଦୋଳନ କରୁଛନ୍ତି।

ଏହାବ୍ୟତୀତ କେନ୍ଦ୍ର ସରକାରଙ୍କ ଦ୍ୱାରା ଏମ୍‌ଏମ୍‌ଡିଆର୍‌ ଆଇନରେ କରାଯାଇଥିବା ସଂଶୋଧନ ନେଇ ମଧ୍ୟ ଆଲୋଚନା ପାଇଁ ବୈଠକ ଡକାଯିବ। ଆବଶ୍ୟକ ପଡ଼ିଲେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯିବ ବୋଲି ମୁଖ୍ୟମନ୍ତ୍ରୀ ସୋରେନ କହିଛନ୍ତି।