ଲେହ: ଲଦାଖର କାର୍ଗିଲ୍ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଭାରତୀୟ ସେନାର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେନାର ଏକ ଭାରୀ ଯାନ ନିୟନ୍ତ୍ରଣ ହରାଇ ରାସ୍ତାରୁ ଖସି ପ୍ରାୟ ୬୦୦ ଫୁଟ୍ ଗଭୀର ଖାଇକୁ ଖସିପଡ଼ିଥିଲା। ଏଥିରେ ଗାଡ଼ିରେ ଥିବା ଚାଳକ ଓ ସହଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ବୁଧବାର ଅପରାହ୍ନ ପ୍ରାୟ ୧ଟା ୩୦ ମିନିଟ୍ ସମୟରେ କାର୍ଗିଲ୍-ଲେହ ଜାତୀୟ ରାଜପଥ-୧ର ନାମିକା ଲା ପାସ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସେନାର ଗାଡ଼ିଟି ଏହି ପାହାଡ଼ିଆ ରାସ୍ତାରେ ଯାଉଥିବା ବେଳେ ହଠାତ୍ ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସିପଡ଼ିଥିଲା।
ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚିଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ଖାଇ ଭିତରୁ ଦୁଇ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ ଆବଶ୍ୟକ ଡାକ୍ତରୀ ଓ ଆଇନଗତ ପ୍ରକ୍ରିୟା ପାଇଁ ମୃତଦେହଗୁଡ଼ିକୁ ଚିକତାନ ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।
ଏହି ଘଟଣାରେ ୱାଖା ପୁଲିସ ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS)ର ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଗାଡ଼ିଟି କେଉଁ କାରଣରୁ ନିୟନ୍ତ୍ରଣ ହରାଇଲା, ତାହାର ତଦନ୍ତ ଚାଲିଛି।
ଏହି ଦୁର୍ଘଟଣାରେ ଦୁଇ ଯବାନଙ୍କ ଅକାଳ ବିୟୋଗକୁ ନେଇ ଶୋକର ଛାୟା ଖେଳିଯାଇଛି। ତେବେ ମୃତ ଯବାନଙ୍କ ପରିଚୟ ସମ୍ପର୍କରେ ଅଧିକାରିକ ସୂଚନା ଏଯାଏଁ ସାମ୍ନାକୁ ଆସିନାହିଁ।




