ମୁମ୍ବାଇ: ମହାରାଷ୍ଟ୍ର ବିଧାନ ପରିଷଦରେ ‘ମହିଳା କୃଷକ ସଶକ୍ତିକରଣ ବିଲ୍‌-୨୦୨୬’ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଏହି ଐତିହାସିକ ବିଲ୍ ପାରିତ ହେବା ସହ ମହିଳା ଚାଷୀଙ୍କୁ ସ୍ୱତନ୍ତ୍ର ଆଇନଗତ ମାନ୍ୟତା ଦେବାରେ ମହାରାଷ୍ଟ୍ର ଦେଶର ପ୍ରଥମ ରାଜ୍ୟ ପାଲଟିଛି। ଏହି ଆଇନର ମୂଳ ଉଦ୍ଦେଶ୍ୟ ହେଉଛି ମହିଳା କୃଷକମାନଙ୍କୁ ସ୍ୱାଧୀନ ଆଇନଗତ ପରିଚୟ, ସମାନ ଅଧିକାର ଏବଂ ସମସ୍ତ ସରକାରୀ କୃଷି ଯୋଜନାର ସିଧାସଳଖ ସୁଭିଧା ପ୍ରଦାନ କରିବା।

ମହାରାଷ୍ଟ୍ରର କୃଷି ମନ୍ତ୍ରୀ ଦତ୍ତାତ୍ରୟ ଭରଣେ କହିଛନ୍ତି ଯେ, ଜଣେ ମହିଳା ଚାଷୀ କେବଳ ପରିବାରର ସହଯୋଗୀ ନୁହନ୍ତି, ବରଂ କୃଷି ବିକାଶର ଜଣେ ସମାନ ଅଂଶୀଦାର। ବିଧାନ ପରିଷଦରେ ଦୀର୍ଘ ୩ ଘଣ୍ଟା ୩୩ ମିନିଟ୍‌ର ଆଲୋଚନା ପରେ ଏହି ବିଲ୍ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ସୁନେତ୍ରା ଅଜିତ ପାୱାରଙ୍କ ମାର୍ଗଦର୍ଶନରେ କୃଷି ବିଭାଗ ଦ୍ୱାରା ଏହି ଆଇନ ପ୍ରସ୍ତୁତ କରାଯାଇଛି।

ମହିଳା କୃଷକ ପ୍ରମାଣପତ୍ର: ଯୋଗ୍ୟ ମହିଳାମାନଙ୍କୁ ଏକ ଆନୁଷ୍ଠାନିକ ‘ମହିଳା କୃଷକ ପ୍ରମାଣପତ୍ର’ ପ୍ରଦାନ କରାଯିବ। ଏହା ମାଧ୍ୟମରେ ସେମାନେ ସରକାରୀ ଯୋଜନା, ସବସିଡି, ସହଜ ବ୍ୟାଙ୍କ ଋଣ, ଫସଲ ବୀମା ଏବଂ ବଜାର ସୁବିଧା ପାଇପାରିବେ।

ସ୍ୱତନ୍ତ୍ର ପାଣ୍ଠି ଗଠନ: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସମ୍ବଳକୁ ଏକତ୍ରିତ କରି ଏକ ‘ରାଜ୍ୟ ମହିଳା କୃଷକ ପାଣ୍ଠି’ ଗଠନ କରାଯିବ। ଏହା ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗିତା ବିକାଶ, ଦକ୍ଷତା ପ୍ରଶିକ୍ଷଣ ଏବଂ ଆର୍ଥିକ ସହାୟତା ପ୍ରଦାନ ଦିଗରେ କାର୍ଯ୍ୟ କରିବ।

ପରିଚାଳନା ଗଠନ: ଏହି ଆଇନର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ‘ମହିଳା କୃଷକ ସଶକ୍ତିକରଣ ପରିଷଦ’ ଏବଂ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ ମନିଟରିଂ କମିଟି ଗଠନ କରାଯିବ।ପୂର୍ବରୁ ଜମି ମାଲିକାନା ନଥିବାରୁ କୃଷି କ୍ଷେତ୍ରରେ ଦିନରାତି ପରିଶ୍ରମ କରୁଥିବା ଲକ୍ଷ ଲକ୍ଷ ମହିଳା ସରକାରୀ ସୁବିଧାରୁ ବଞ୍ଚିତ ହେଉଥିଲେ।

ମାତ୍ର ଏହି ନୂତନ ଆଇନ ସେମାନଙ୍କୁ ସମାଜରେ ସମ୍ମାନଜନକ ପରିଚୟ ଦେବା ସହ ଆର୍ଥିକ ସ୍ୱାବଲମ୍ବୀ କରିବାରେ ବେଶ୍ ସହାୟକ ହେବ। ଏହି ନିୟମ ପୌରପାଳିକା ଓ ନଗର ପଞ୍ଚାୟତ ଅଞ୍ଚଳକୁ ବାଦ୍ ଦେଇ ଗ୍ରାମାଞ୍ଚଳର ସମସ୍ତ ଯୋଗ୍ୟ ମହିଳା ଚାଷୀଙ୍କ ପାଇଁ ଲାଗୁ ହେବ।