ନୂଆଦିଲ୍ଲୀ: ନିଟ୍‌-ୟୁଜି ପରୀକ୍ଷାକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ Dharmendra Pradhan ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆସନ୍ତା ବର୍ଷରୁ ନିଟ୍‌ ପରୀକ୍ଷା ପୁରୁଣା ଓଏମ୍‌ଆର୍‌ ସିଟ୍‌ ପ୍ରଣାଳୀ ବଦଳରେ କମ୍ପ୍ୟୁଟର ଆଧାରିତ ଭାବେ ଅନୁଷ୍ଠିତ ହେବ।

ସେ କହିଛନ୍ତି, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ପରୀକ୍ଷାର ସ୍ୱଚ୍ଛତା ସରକାରଙ୍କ ପ୍ରଥମ ପ୍ରାଥମିକତା। କିଛି ଲୋକ ସୋସିଆଲ ମିଡିଆରେ ଭ୍ରାନ୍ତିକର ସୂଚନା ପ୍ରଚାର କରୁଥିବାବେଳେ, ସରକାର ଯୋଗ୍ୟ ଛାତ୍ରଛାତ୍ରୀଙ୍କ ସହ ଅନ୍ୟାୟ ହେବାକୁ ଦେବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଶିକ୍ଷାମନ୍ତ୍ରୀଙ୍କ କହିବା ଅନୁଯାୟୀ, ମେ’ ୩ ତାରିଖରେ ଅନୁଷ୍ଠିତ ନିଟ୍‌-ୟୁଜି ପରୀକ୍ଷା ପରେ ମେ’ ୭ରେ କିଛି ଆପତ୍ତି ଉଠିଥିଲା। ପରେ ସରକାର ତଦନ୍ତ ଆରମ୍ଭ କରିଥିଲେ ଏବଂ ମେ’ ୧୨ ସୁଦ୍ଧା ପେପର୍‌ ଲିକ୍‌ ହୋଇଥିବା ସନ୍ଦେହ ସ୍ପଷ୍ଟ ହୋଇଥିଲା। ଏହା ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା।

ଏବେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଜୁନ୍‌ ୨୧ ତାରିଖରେ ପୁନଃ ନିଟ୍‌-ୟୁଜି ପରୀକ୍ଷା କରିବାକୁ ଘୋଷଣା କରିଛି। ଦେଶବ୍ୟାପୀ ଏହି ପରୀକ୍ଷା ପାଇଁ ନୂତନ ତାରିଖ ଜାରି ହେବା ପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତି ଜୋରଦାର କରିବାକୁ କୁହାଯାଇଛି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଭବିଷ୍ୟତରେ ଏପରି ଅନିୟମିତତା ରୋକିବା ଓ ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ ଏବଂ ପାରଦର୍ଶୀ କରିବା ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ପ୍ରଣାଳୀ ଲାଗୁ କରାଯିବ।