ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଏନଇଇଟି-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (CBI) ନୂଆଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପରିସରସ୍ଥିତ ବିଶେଷ ଫାଷ୍ଟ ଟ୍ରାକ୍ କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି।ଏହି ଚାର୍ଜସିଟ୍ ମାମଲାରେ ଗିରଫ ହୋଇଥିବା ୧୪ଜଣ ଅଭିଯୁକ୍ତ ଶେଷରାଓ ବଜରଙ୍ଗ ସୂର୍ଯ୍ୟବଂଶୀଙ୍କ ବିରୋଧରେ ଦାଖଲ କରାଯାଇଛି।

କୋର୍ଟ ଏହି ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌କୁ ଗ୍ରହଣ କରିବା ସହ ଅଭିଯୁକ୍ତଙ୍କୁ ଏହାର ଏକ ନକଲ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଆସନ୍ତା ଅକ୍ଟୋବର ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ଗତ ସେପ୍ଟେମ୍ବର ମାସରେ ସିବିଆଇ ଶେଷରାଓ ସୂର୍ଯ୍ୟବଂଶୀଙ୍କୁ ଗିରଫ କରିଥିଲା।ତିନି ଦିନିଆ ପୋଲିସ ରିମାଣ୍ଡ ଶେଷ ହେବା ପରେ କୋର୍ଟ ସେହି ସମୟରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

ସିବିଆଇର ତଦନ୍ତ ଅନୁଯାୟୀ, ମହାରାଷ୍ଟ୍ରର ନାସିକରୁ ଗିରଫ ହୋଇଥିବା ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ୍ କରିବାର ମୁଖ୍ୟ ଅଭିଯୁକ୍ତ ତଥା କ୍ୟାରିୟର କାଉନସେଲର ଶୁଭମ ଖୈରନାରଙ୍କ ସହ ସୂର୍ଯ୍ୟବଂଶୀଙ୍କ ସିଧାସଳଖ ସମ୍ପର୍କ ଥିଲା।ସୂର୍ଯ୍ୟବଂଶୀ ଅନ୍ୟମାନଙ୍କ ସହ ମିଶି ନାନ୍ଦେଡ୍‌ର ଏକ ଘରେ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ପୂର୍ବରୁ ଲିକ୍ ହୋଇଥିବା ପ୍ରଶ୍ନପତ୍ର ଯୋଗାଇ ଦେଇଥିଲେ ଏବଂ ଗ୍ୟାରେଣ୍ଟି ସ୍ୱରୂପ ସେମାନଙ୍କର ମୂଳ ପ୍ରମାଣପତ୍ର ରଖିଥିଲେ।

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୨୮ ତାରିଖରେ ସିବିଆଇ ୧୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଥିଲା, ଯାହାକୁ କୋର୍ଟ ଗ୍ରହଣ କରିସାରିଛନ୍ତି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ର ପ୍ରଶ୍ନପତ୍ର ଅନୁବାଦ ଓ ଯାଞ୍ଚ ଦାୟିତ୍ୱରେ ଥିବା ତିନିଜଣ ବିଶେଷଜ୍ଞ ସୁରକ୍ଷା ଗଳାବାଟ ଦେଇ ଗୋପନୀୟ ପ୍ରଶ୍ନପତ୍ର ବାହାରକୁ ଆଣିଥିବା ସିବିଆଇ ଦାବି କରିଛି।

ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ପି.ଭି. କୁଲକର୍ଣ୍ଣୀ କେମିଷ୍ଟ୍ରି (ରସାୟନ ବିଜ୍ଞାନ) ର ସମସ୍ତ ୧୩୫ଟି ପ୍ରଶ୍ନ ଓ ଉତ୍ତରକୁ ଛୋଟ ଛୋଟ କାଗଜ ଖଣ୍ଡରେ ଲେଖି ଗୋପନୀୟ ଶାଖାରୁ ବାହାରକୁ ଆଣିଥିଲେ। ଏହାସହ ଏନ୍‌ଟିଏ କାର୍ଯ୍ୟାଳୟରେ ସିସିଟିଭି ଫୁଟେଜର ମାତ୍ର ୨୦-୨୫ ଦିନର ବ୍ୟାକଅପ୍ ଥିବା ଏବଂ କୌଣସି ନିୟନ୍ତ୍ରଣ କକ୍ଷ ନଥିବା ନେଇ ସିବିଆଇ ସୁରକ୍ଷା କଡ଼ାକଡ଼ି ଉପରେ ପ୍ରଶ୍ନ ଉଠାଇଥିଲା।

ମେ ୩ ତାରିଖରେ ଅନୁଷ୍ଠିତ ହୋଇଥିବା NEET-UG ୨୦୨୬ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କାରଣରୁ ବାତିଲ କରାଯାଇଥିଲା ଏବଂ ପରେ ଜୁନ୍ ୨୧ ରେ ପୁନଃପରୀକ୍ଷା (Re-exam) କରାଯାଇଥିଲା। ସରକାରୀ ପରୀକ୍ଷା (ଅସାଧୁ ଉପାୟ ନିରୋଧ) ଆଇନ, ୨୦୨୪ ଅଧୀନରେ ଗଠିତ ଏହି ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟରେ ଏବେ ମାମଲାର ବିଚାର ଚାଲିଛି।