ଭୁବନେଶ୍ୱର: ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ (NH-49) ରେ ସଡ଼କ ସୁରକ୍ଷା ଓ ଗମନାଗମନକୁ ସୁଗମ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଜୟରାମ ଗଡକରୀଙ୍କୁ ଚିଠି ଲେଖିଛନ୍ତି। ଦେବଗଡ଼ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଦୁର୍ଘଟଣା ଏବଂ ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସେ ନିଜ ଚିଠିରେ ୩ଟି ପ୍ରମୁଖ ଭିତ୍ତିଭୂମି ନିର୍ମାଣ ପାଇଁ ଦାବି କରିଛନ୍ତି।
ସାଂସଦ ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି ଯେ, ଏହି ଜାତୀୟ ରାଜପଥ ଦେଇ ଦୈନନ୍ଦିନ ଭାରୀ ଅନ୍ତଃରାଜ୍ୟ ପଣ୍ୟବାହୀ ଗାଡ଼ି ଓ ଅନ୍ୟାନ୍ୟ ଯାନବାହାନ ପ୍ରବଳ ମାତ୍ରାରେ ଚଳାଚଳ କରୁଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଦୁର୍ଘଟଣା ଜନିତ ସଙ୍କଟ ପ୍ରକଟ ହେଉଛି। ଲୋକଙ୍କ ନିରାପତ୍ତା ଓ ନିରବଚ୍ଛନ୍ନ ଗମନାଗମନ ନିଶ୍ଚିତ କରିବା ପାଇଁ ସେ ଏହି ଜରୁରୀ ପଦକ୍ଷେପଗୁଡ଼ିକ ଉପରେ ଗୁରୁତ୍ୱ ଦେଇଛନ୍ତି।
ସାଂସଦ ନିଜ ଚିଠିରେ ଦେବଗଡ଼ ବାଇପାସ୍ ଆରମ୍ଭରେ ଥିବା ଅମ୍ବେଦକର ସ୍କୋୟାର (Y-ଜଙ୍କସନ୍) ର ସଂବେଦନଶୀଳତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହି ଛକ ଦେଇ ଦ୍ରୁତଗାମୀ ଯାନବାହାନ ଯାତାୟାତ କରୁଥିବା ବେଳେ ଏହାର ନିକଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ନୂତନ ବସ୍ ଷ୍ଟାଣ୍ଡ ଏବଂ ମହିଳା କଲେଜ ପରି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଗୁଡ଼ିକ ରହିଛି।
ଏହାଯୋଗୁଁ ଜାତୀୟ ରାଜପଥରେ ଯାଉଥିବା ଗାଡ଼ି ଏବଂ ସ୍ଥାନୀୟ ନାଗରିକଙ୍କ ମଧ୍ୟରେ ନିୟମିତ ଟ୍ରାଫିକ୍ ବିବାଦ ଓ ଦୁର୍ଘଟଣାର ଆଶଙ୍କା ଲାଗିରହୁଛି। ଏହାକୁ ଏଡ଼ାଇବା ପାଇଁ ଅମ୍ବେଦକର ଛକଠାରେ ଏକ ଏଲିଭେଟେଡ୍ ଫ୍ଲାଇଓଭର, ସମର୍ପିତ ସର୍ଭିସ୍ ରୋଡ୍ ଏବଂ ଉପଯୁକ୍ତ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ନିର୍ମାଣ କରିବାକୁ ସେ ଦାବି କରିଛନ୍ତି।
ନିଜର ଏହି ପତ୍ର ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ସୂଚନା ଦେଇ ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ, “ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା NH-49 ର ରାସ୍ତା ସୁଦୃଢ଼ୀକରଣ, ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଜୀଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଛି।”
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅମ୍ବେଦକର ଛକରେ ଫ୍ଲାଇଓଭର ଓ ଲାଇଟିଂ ସିଷ୍ଟମ୍ ସହ ବିରସାମୁଣ୍ଡା ଛକଠାରେ ସ୍ଲିପ୍ ରୋଡ୍ ସହ ଏକ ଅଣ୍ଡରପାସ୍ ନିର୍ମାଣ ଏବଂ କଳା, କାନ୍ଦଲ ଓ ତିଲେଇବଣି ପରି ଜନବସତିପୂର୍ଣ୍ଣ ଅଞ୍ଚଳରେ ସର୍ଭିସ୍ ରୋଡ୍, ଡ୍ରେନ୍ ଓ ପାଦଚଲା ରାସ୍ତାର ନିରାପତ୍ତା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଆଞ୍ଚଳିକ ଯାତାୟାତ ଅଧିକ ସୁରକ୍ଷିତ ଓ ସହଜ ହୋଇପାରିବ।




