ନୂଆଦିଲ୍ଲୀ: ନିଟ୍-ୟୁଜି (NEET UG-2026) ପ୍ରଶ୍ନପତ୍ର ଲିକ୍ ବିବାଦ ପରେ ଆସନ୍ତା ଜୁନ୍ ୨୧ ତାରିଖରେ ହେବାକୁ ଥିବା ପୁନଃ ପରୀକ୍ଷା ପାଇଁ କେନ୍ଦ୍ର ସରକାର ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ‘ଦି ଟେଲିଗ୍ରାଫ୍’ର ରିପୋର୍ଟ ଅନୁଯାୟୀ, ପ୍ରଶ୍ନପତ୍ର ଯେପରି ପୁଣି ଥରେ ଲିକ୍ ନହେବ, ସେଥିପାଇଁ ଭାରତୀୟ ବାୟୁସେନା (IAF) ସିଲ୍ ହୋଇଥିବା ପ୍ରଶ୍ନପତ୍ରଗୁଡ଼ିକୁ ସାରା ଦେଶକୁ ପରିବହନ କରିବା ଦାୟିତ୍ୱ ନେଇଛି।
ବାୟୁସେନାର ସ୍ପେଶାଲ ସି-୧୩୦ଜେ ସୁପର ହରକୁଲିସ୍, ଏଏନ୍-୩୨ ପରିବହନ ବିମାନ ଏବଂ ଏମଆଇ-୧୭ ହେଲିକପ୍ଟର ଜରିଆରେ ପ୍ରଶ୍ନପତ୍ର ପ୍ୟାକେଟଗୁଡ଼ିକୁ ଦେଶର ୫୦ରୁ ଅଧିକ ପ୍ରମୁଖ ଶିକ୍ଷା ହବ୍କୁ ଏୟାରଲିଫ୍ଟ କରାଯାଇଛି। ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ସ୍ଥଳପଥରେ ଏହାକୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପଠାଯିବ। ଗତ ମେ’ ୩ ତାରିଖରେ ହୋଇଥିବା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ପ୍ରାୟ ୨୨ ଲକ୍ଷ ପରୀକ୍ଷାର୍ଥୀଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିବା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତକାରୀ, ଅନୁବାଦକ ଏବଂ ଅନ୍ୟ ଗୋପନୀୟ କର୍ମଚାରୀମାନଙ୍କୁ ଏକ ଅଜ୍ଞାତ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ସେମାନଙ୍କର ମୋବାଇଲ୍ ବ୍ୟବହାର ଓ ଇଣ୍ଟରନେଟ୍ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ କରି ସମସ୍ତ ରାଜ୍ୟ ସରକାର ଏବଂ ଏନଟିଏ (NTA) କମାଣ୍ଡ ସେଣ୍ଟର ସହ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାୟୁସେନାର ଏହି ସାମରିକ ସ୍ତରର ସୁରକ୍ଷା ବ୍ୟବସ୍ଥା ଦ୍ୱାରା ନିଟ୍ ପରୀକ୍ଷାର ସ୍ୱଚ୍ଛତା ଫେରିଆସିବ ବୋଲି ଆଶା କରାଯାଉଛି।




