ନୂଆଦିଲ୍ଲୀ: ଭୟାବହ ଆକସ୍ମିକ ବନ୍ୟା ପରେ ବିଦେଶୀ ସହାୟତା ଗ୍ରହଣ ନକରିବା ନିଷ୍ପତ୍ତିରୁ ଓହରିଛି ନେପାଳ। ନିଖୋଜ ଲୋକଙ୍କ ଉଦ୍ଧାର ଓ ଚିହ୍ନଟ ପ୍ରକ୍ରିୟାରେ ଏବେ ଭାରତ, ଚୀନ୍, ଅଷ୍ଟ୍ରେଲିଆ ଓ ଦକ୍ଷିଣ କୋରିଆର ବିଶେଷଜ୍ଞ ଦଳକୁ ଅନୁମତି ଦିଆଯାଇଛି। ଟନେଲ୍ ଉଦ୍ଧାର, ଡିଏନ୍ଏ ପରୀକ୍ଷା ଓ ଫୋରେନ୍ସିକ୍ ଚିହ୍ନଟ ଭଳି କାର୍ଯ୍ୟରେ ଏହି ଟିମ୍ଗୁଡ଼ିକ ସହାୟତା କରିବେ।
ପୂର୍ବରୁ ନେପାଳ ସରକାର ବିଦେଶୀ ଉଦ୍ଧାରକାରୀ ଦଳର ସହାୟତା ନେବାକୁ ମନା କରିଥିଲେ। ଦେଶର ନିଜସ୍ୱ ସୁରକ୍ଷା ଏଜେନ୍ସିଗୁଡ଼ିକ ଉଦ୍ଧାର କାର୍ଯ୍ୟ ସମ୍ଭାଳିବାରେ ସକ୍ଷମ ବୋଲି ସରକାର କହିଥିଲେ। କିନ୍ତୁ ବନ୍ୟା ବିପର୍ଯ୍ୟୟରେ ବହୁ ସଂଖ୍ୟକ ଲୋକ ନିଖୋଜ ହେବା ଓ ଉଦ୍ଧାର କାର୍ଯ୍ୟ ଜଟିଳ ହେବା ପରେ ନେପାଳ ନିଜ ନିଷ୍ପତ୍ତି ବଦଳାଇଛି।
ଭୋଟେକୋଶୀ ଓ ତ୍ରିଶୂଳୀ ନଦୀର ଭୟଙ୍କର ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୨ ହଜାରରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ବିଶେଷ କରି ୨୧୬ ମେଗାୱାଟ୍ କ୍ଷମତାର ‘ଅପର୍ ତ୍ରିଶୂଳୀ-୧’ ଜଳବିଦ୍ୟୁତ ପ୍ରକଳ୍ପର ୫୭୬ ଜଣ ଶ୍ରମିକ ନିଖୋଜ ଅଛନ୍ତି। ସେମାନେ ଟନେଲ୍ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି।
ଭାରତ ପକ୍ଷରୁ ଏନ୍ଡିଆର୍ଏଫ୍, ଜେନେରେଟର, ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସହ ୧୧ ଜଣିଆ ଟନେଲ୍ ଉଦ୍ଧାରକାରୀ ଓ ଡାକ୍ତରୀ ଦଳ କାଠମାଣ୍ଡୁରେ ପହଞ୍ଚିଥିବା ସୂଚନା ମିଳିଛି। ଏବେ ଏହି ଦଳଗୁଡ଼ିକ ନେପାଳର ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବେ।
ବନ୍ୟାରେ ବହୁ ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥା ନଷ୍ଟ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଚ୍ୟାଲେଞ୍ଜିଂ ହୋଇପଡ଼ିଛି। ପୁଲିସ ଓ ସ୍ଥାନୀୟ ପ୍ରଶାସନ ହେଲିକପ୍ଟର ସହାୟତାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚଳାଇଛନ୍ତି। ଏହାସହ ପ୍ରତିକୂଳ ପାଗ ଉଦ୍ଧାରକାର୍ଯ୍ୟରେ ଆହୁରି ବାଧା ସୃଷ୍ଟି କରୁଛି।




