ଭୁବନେଶ୍ୱର: ଓଡ଼ିଶାକୁ ବିଶ୍ୱର କ୍ରୀଡ଼ା ରାଜଧାନୀ ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାରଙ୍କ ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିବ। ‘ପଡ଼ିଆରୁ ପୋଡ଼ିୟମ୍‌’ ଆଭିମୁଖ୍ୟରେ ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭାର ବିକାଶ ସହ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଗଠନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଜାତୀୟ କ୍ରୀଡ଼ା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଲୋକସେବା ଭବନସ୍ଥିତ କନଭେନସନ୍‌ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ସମାରୋହରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ଆଜି ଭାରତର ଏକ ପ୍ରମୁଖ କ୍ରୀଡ଼ା ଶକ୍ତିକେନ୍ଦ୍ର ଭାବେ ଉଭା ହୋଇଛି। ରାଜ୍ୟର ପିଲାମାନଙ୍କୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ଉତ୍ତମ ତାଲିମ ସୁବିଧା ଯୋଗାଇଦେବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ।

ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟର ୩୧୪ଟି ବ୍ଲକ୍‌ରେ ୪,୧୨୪ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଷ୍ଟାଡିୟମ୍‌ ନିର୍ମାଣ କରାଯାଉଛି। ଏହାସହ ଭୁବନେଶ୍ୱର ଗୋଠପାଟଣାରେ ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଏବଂ ଢେଙ୍କାନାଳରେ ‘ବାଜି ରାଉତ ରିଜିଓନାଲ ସ୍ପୋର୍ଟ୍ସ ହବ୍‌’ ସମେତ ଆଉ ୫ଟି ଆଞ୍ଚଳିକ କ୍ରୀଡ଼ା ହବ୍‌ ସ୍ଥାପନ କରାଯାଉଛି।

ଗ୍ରାମାଞ୍ଚଳର କ୍ରୀଡ଼ା ପ୍ରତିଭାଙ୍କୁ ସୁଯୋଗ ଦେବା ପାଇଁ ‘ସିଏମ୍‌ ଟ୍ରଫି’ ଆୟୋଜନ କରାଯାଉଛି। ସେହିପରି କ୍ରୀଡ଼ାକୁ କେବଳ ପ୍ରତିଯୋଗିତା ନୁହେଁ, ସାମାଜିକ ପରିବର୍ତ୍ତନର ମାଧ୍ୟମ ଭାବେ ଗ୍ରହଣ କରି ମାଓ ପ୍ରଭାବିତ ୧୦ଟି ଜିଲ୍ଲାର ୪୮୫ଟି ଗାଁର ଯୁବବର୍ଗଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଉଛି।

ଓଡ଼ିଶା ପ୍ରଥମ ଥର ପାଇଁ ୨୦୨୮ ଏସିଆନ୍‌ ଏବଂ ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିଅନସିପ୍‌ ଆୟୋଜନ କରିବାର ଐତିହାସିକ ସୁଯୋଗ ପାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ରାଜ୍ୟର କ୍ରୀଡ଼ା ଭିତ୍ତିଭୂମି ଓ କ୍ରୀଡ଼ା ସଂସ୍କୃତିକୁ ଆହୁରି ମଜବୁତ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ବିଭିନ୍ନ ବର୍ଗରେ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିଲା। ନୟାଗଡ଼ର ସୌମ୍ୟରଞ୍ଜନ ବେହେରାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ଏବଂ ସ୍ୱର୍ଗତ ନୀଳମାଧବ ପଣ୍ଡା ଓ ସୁନିଲ କୁମାର ରାୟଙ୍କୁ ମରଣୋତ୍ତର ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ଦିଆଯାଇଥିଲା।

କ୍ରୀଡ଼ା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ପ୍ରଣତି ମିଶ୍ର, କ୍ରୀଡ଼ା ସାମ୍ବାଦିକତାରେ ଉତ୍କର୍ଷତା ପାଇଁ ଶକ୍ତି ପ୍ରକାଶ ନନ୍ଦ, ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଲୋମା ସ୍ୱାଇଁ, ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ ଗୋପାଳ କୃଷ୍ଣ ଦାଶ, ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍‌ ଭାବେ ସୁଚିତ୍ରା ପରିଡ଼ା, ଶ୍ରେଷ୍ଠ ଉଦୀୟମାନ କ୍ରୀଡ଼ାବିତ୍‌ ଭାବେ ପ୍ରତୀକ ମହାରଣା ଓ ପାୟଲ ନାଗ ଏବଂ ଶ୍ରେଷ୍ଠ ବୈଷୟିକ ଅଧିକାରୀ ଭାବେ ପ୍ରବୋଧ କୁମାର ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। ସର୍ବୋତ୍ତମ କ୍ରୀଡ଼ା ପ୍ରୋତ୍ସାହନ ସଂସ୍ଥା ଭାବେ ସମ୍ବଲପୁରର ସମଲେଶ୍ୱରୀ ସ୍ପୋର୍ଟିଂ କ୍ଲବକୁ ପୁରସ୍କାର ମିଳିଥିଲା।

କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ହକିର ମହାନ ଖେଳାଳି ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଥିଲେ ଯେ ଦକ୍ଷତା ସହ ନିଷ୍ଠା ଓ ଶୃଙ୍ଖଳା ଜଣେ ସାଧାରଣ ଖେଳାଳିଙ୍କୁ ମହାନ କରିଥାଏ। ସେ ପିଲାମାନଙ୍କୁ ନିୟମିତ କ୍ରୀଡ଼ାରେ ସାମିଲ ହେବା ସହ ସ୍କ୍ରିନ୍‌ ଟାଇମ୍‌ କମାଇ ସ୍ପୋର୍ଟିଂ ଟାଇମ୍‌ ବଢ଼ାଇବାକୁ ଆହ୍ୱାନ ଦେଇଥିଲେ।