କାଠମାଣ୍ଡୁ: ନେପାଳରେ ଘଟିଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ଏବଂ ଭୂସ୍ଖଳନ ପରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ପ୍ରଭାବିତ ପରିବାରସମୂହ ନିଜର ପ୍ରିୟଜନଙ୍କୁ ଜୀବିତ କିମ୍ବା ସୁରକ୍ଷିତ ପାଇବାର ଆଶା ରଖିଛନ୍ତି।
ସରକାରୀ ତଥ୍ୟ ଓ ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଶନିବାର ସକାଳ ସୁଦ୍ଧା ମୃତ୍ୟୁସଂଖ୍ୟା ୬୧୬ ରେ ପହଞ୍ଚିଛି ଏବଂ ଶହ ଶହ ଲୋକ ଏବେ ବି ନିଖୋଜ ଅଛନ୍ତି।
ନେପାଳ ପୁଲିସ ଓ ସ୍ଥାନୀୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଭିନ୍ନ ଜିଲ୍ଲାରୁ ଶବ ଉଦ୍ଧାର କରାଯାଇଛି:
- ଚିତ୍ୱାନ୍: ୨୩୩
- ପୂର୍ବ ନବଲପରାସୀ: ୧୫୮
- ଗୋର୍ଖା: ୪୮
- ପଶ୍ଚିମ ନବଲପରାସୀ: ୪୭
- ଧାଡିଂ: ୪୫
- ନୁୱାକୋଟ: ୪୧
- ତନାହୁନ୍: ୩୧
- ରସୁୱା: ୧୩
ତ୍ରିଶୂଳୀ ଅଞ୍ଚଳରେ ଦୀର୍ଘ ୧୭ ବର୍ଷ ଧରି ସ୍କ୍ରାପ୍ ବ୍ୟବସାୟ କରୁଥିବା ଦିନେଶ କହିଛନ୍ତି ଯେ, ସେମାନଙ୍କର ଗୋଦାମ ଭାଙ୍ଗି ଚୁରମାର ହୋଇଯାଇଛି ଏବଂ ତାଙ୍କର ଦୁଇ ଭାଇ ନିଖୋଜ ଅଛନ୍ତି। ଅଗଷ୍ଟ ୨୬ରେ ଚୀନ୍ ସୀମା ନିକଟରେ ବନ୍ୟା ଦେଖି ସେମାନେ ଭାଇମାନଙ୍କୁ ଫୋନ୍ କରି ଖସିଯିବାକୁ କହିଥିଲେ, ମାତ୍ର ବିଗତ ୩ ଦିନ ହେବ ଖୋଜାଖୋଜି କରିବା ପରେ ବି ସେମାନଙ୍କର କୌଣସି ସନ୍ଧାନ ମିଳିନାହିଁ।
ସେହିପରି ଅନ୍ୟ ଜଣେ ଦୁର୍ବିପାକ ପୀଡ଼ିତା ମହିଳା କହିଛନ୍ତି ଯେ, ପାଣି ହଠାତ୍ ମାଡ଼ି ଆସିବାରୁ ପୁଲିସ ସେମାନଙ୍କୁ ସୁରକ୍ଷିତ ଉଚ୍ଚ ସ୍ଥାନକୁ ପଠାଇଥିଲା। ପରିବାର ଲୋକେ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ ସୁଦ୍ଧା ଘରର କୌଣସି ଜିନିଷପତ୍ର ସାଙ୍ଗରେ ଆଣିପାରିନଥିଲେ।
ଗତ ବୁଧବାର (ଅଗଷ୍ଟ ୨୬) ଚୀନ୍ର ତିବ୍ଦତ ଅଞ୍ଚଳରୁ ସୃଷ୍ଟି ହୋଇଥିବା ଏହି ଭୟଙ୍କର ବନ୍ୟା ଭୋଟେ କୋଶୀ ନଦୀ ଦେଇ ନେପାଳ ସୀମା ମଧ୍ୟକୁ ପ୍ରବେଶ କରିଥିଲା। ଏହି ଜଳସ୍ରୋତ ଭୋଟେ କୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରବାହିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ସମ୍ପତ୍ତି ଓ ଜୀବନହାନି ଘଟାଇଛି।
ନୁୱାକୋଟରେ ମୁତୟନ ଥିବା ନେପାଳ ପୁଲିସର ଏଏସଆଇ ରାହୁଲ ସୁନାର କହିଛନ୍ତି ଯେ, ଉଦ୍ଧାରକାର୍ଯ୍ୟ ନିରନ୍ତର ଚାଲିଛି। ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ରାସ୍ତା ସାଫ୍ କରିବା ଏବଂ ଘରଗୁଡ଼ିକରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବା। ସ୍ଥାନୀୟ ପ୍ରଶାସନ ଓ ପୁଲିସର ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ହେଁ ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି।




