ନ୍ୟୁୟର୍କ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ମଧ୍ୟରେ United Nations Security Council (ୟୁଏନ୍ଏସ୍ସି) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାସ୍ କରିଛି। Bahrain ନେତୃତ୍ୱରେ ଆଣାଯାଇଥିବା ଏହି ପ୍ରସ୍ତାବରେ ଉପସାଗରୀୟ ଦେଶମାନଙ୍କ ଉପରେ Iran ଦ୍ୱାରା ହୋଇଥିବା ସମ୍ପ୍ରତିକ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରାଯାଇଛି।
ପ୍ରସ୍ତାବରେ କୁହାଯାଇଛି ଯେ, ଏପରି ଆକ୍ରମଣ ଆଞ୍ଚଳିକ ସ୍ଥିରତା ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଛି ଏବଂ ଏହାକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ। ଇରାନ ଉପସାଗରୀୟ ଅଞ୍ଚଳରେ ଥିବା United Statesର ସାମରିକ ଘାଟି ଓ ରଣନୈତିକ ସଂପତ୍ତିକୁ ଲକ୍ଷ୍ୟ କରୁଥିବା ଅଭିଯୋଗ ମଧ୍ୟ ଏଥିରେ ଉଠାଯାଇଛି।
ଭୋଟିଂ ସମୟରେ ସୁରକ୍ଷା ପରିଷଦର ୧୩ଟି ସଦସ୍ୟ ଦେଶ ପ୍ରସ୍ତାବ ପକ୍ଷରେ ଭୋଟ୍ ଦେଇଥିଲେ। ହେଲେ China ଓ Russia ଭୋଟିଂରୁ ବିରତ ରହିଥିଲେ, ଯାହା ଆନ୍ତର୍ଜାତୀୟ ମହଳରେ ଚର୍ଚ୍ଚା ସୃଷ୍ଟି କରିଛି। କୌଣସି ସଦସ୍ୟ ଦେଶ ପ୍ରସ୍ତାବକୁ ବିରୋଧ କରିନଥିଲେ।
ପ୍ରସ୍ତାବକୁ ସମର୍ଥନ କରିଥିବା ଦେଶମାନଙ୍କ ମଧ୍ୟରେ Pakistan ମଧ୍ୟ ରହିଛି। ପାକିସ୍ତାନ କହିଛି ଯେ ଏହି ସଂଘର୍ଷର ପ୍ରଭାବ ଆଞ୍ଚଳିକ ସୁରକ୍ଷା ଉପରେ ପଡ଼ୁଥିବାରୁ ଶାନ୍ତି ବଜାୟ ରଖିବା ପାଇଁ ସେ ପ୍ରସ୍ତାବକୁ ସମର୍ଥନ କରିଛି।
ଏହି ପ୍ରସ୍ତାବରେ Kuwait, Oman, Qatar, Saudi Arabia, United Arab Emirates ଓ Jordan ସମେତ ଉପସାଗରୀୟ ଦେଶଗୁଡ଼ିକ ବିରୋଧରେ ହୋଇଥିବା ଇରାନର ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରାଯାଇଛି। ପରିଷଦ କହିଛି ଯେ, ଏପରି କାର୍ଯ୍ୟକଳାପ ଆନ୍ତର୍ଜାତୀୟ ଆଇନ ଉଲ୍ଲଂଘନ ସହ ବିଶ୍ୱ ଶାନ୍ତି ଓ ସୁରକ୍ଷା ପାଇଁ ଗମ୍ଭୀର ବିପଦ ସୃଷ୍ଟି କରେ।
ସୁରକ୍ଷା ପରିଷଦ ଏହାସହ Strait of Hormuz ଓ ଆଖପାଖ ସମୁଦ୍ର ଅଞ୍ଚଳରେ ସାଧାରଣ ନାଗରିକ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ବାଣିଜ୍ୟିକ ଜାହାଜକୁ ଲକ୍ଷ୍ୟ କରି ହେଉଥିବା ଆକ୍ରମଣକୁ ମଧ୍ୟ ନିନ୍ଦା କରିଛି। ପରିଷଦ ସତର୍କ କରିଛି ଯେ, ଏପରି ଘଟଣା ସାମୁଦ୍ରିକ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ, ଶକ୍ତି ଯୋଗାଣ ଓ ବିଶ୍ୱ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇପାରେ।
ଏହା ସହିତ Gulf Cooperation Council (ଜିସିସି) ଦେଶମାନଙ୍କ ଓ ଅନ୍ୟାନ୍ୟ ଆଞ୍ଚଳିକ ପକ୍ଷମାନଙ୍କ ମଧ୍ୟସ୍ଥତା ଚେଷ୍ଟାକୁ ପ୍ରଶଂସା କରି ସୁରକ୍ଷା ପରିଷଦ ଆଲୋଚନା ମାଧ୍ୟମରେ ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଜୋର ଦେଇଛି।
ପ୍ରସ୍ତାବ ପାସ୍ କରି ସୁରକ୍ଷା ପରିଷଦ ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ଉପସାଗରୀୟ ଦେଶମାନଙ୍କ ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା ଓ ରାଜନୈତିକ ସ୍ୱାଧୀନତା ପ୍ରତି ନିଜ ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରିଛି।




