ନୂଆଦିଲ୍ଲୀ: ସଂସଦର ଉଭୟ ସଦନର ସ୍ୱତନ୍ତ୍ର ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ୍‌ଙ୍କୁ ଅନୁରୋଧ କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗୁରୁବାର ଏହି ସୂଚନା ଦେଇଛନ୍ତି।

ସରକାରଙ୍କ ଅନୁରୋଧ ଅନୁଯାୟୀ, ନଭେମ୍ବର ୩୦ ସୋମବାର ଲୋକସଭାର ବୈଠକ ବସିବାକୁ ଥିବା ବେଳେ ଡିସେମ୍ବର ୨ ବୁଧବାର ରାଜ୍ୟସଭାର ବୈଠକ ହେବ। ସରକାରୀ କାର୍ଯ୍ୟସୂଚୀ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉଭୟ ସଦନର ବୈଠକ ଡିସେମ୍ବର ୩ରେ ଶେଷ ହୋଇପାରେ।

ମହିଳା ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ବିଲ୍‌କୁ ନେଇ ଚର୍ଚ୍ଚା

ସରକାର ସ୍ୱତନ୍ତ୍ର ଅଧିବେଶନରେ କେଉଁ କେଉଁ ପ୍ରସଙ୍ଗ ଉପସ୍ଥାପନ କରିବେ, ସେନେଇ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିନାହାନ୍ତି। ତେବେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଏବଂ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ ବା ଡିଲିମିଟେସନ୍‌ ସମ୍ପର୍କିତ ବିଲ୍‌ ଆସିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଏହି ପ୍ରସ୍ତାବିତ ଆଇନଗତ ପଦକ୍ଷେପ ମହିଳା ସଂରକ୍ଷଣ ଆଇନ, ୨୦୨୩ର କାର୍ଯ୍ୟକାରିତା ସହ ଜଡ଼ିତ। ଏଥିରେ ଲୋକସଭା ଓ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ଆସନ ସଂରକ୍ଷଣର ବ୍ୟବସ୍ଥା ରହିଛି। ତେବେ ଏହାର କାର୍ଯ୍ୟକାରିତା ଜନଗଣନା ଓ ପରବର୍ତ୍ତୀ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସହ ଯୋଡ଼ାଯାଇଛି।

ଏପ୍ରିଲରେ ସରକାରଙ୍କୁ ମିଳିଥିଲା ଝଟ୍‌କା

ଚଳିତ ବର୍ଷ ଏପ୍ରିଲରେ ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ସଂସଦରେ ବିଶେଷ ଅଧିବେଶନ ଡକାଯାଇଥିଲା। ସେତେବେଳେ ସମ୍ବିଧାନ ସଂଶୋଧନ ବିଲ୍‌ ଲୋକସଭାରେ ଆବଶ୍ୟକ ଦୁଇ-ତୃତୀୟାଂଶ ସମର୍ଥନ ହାସଲ କରିପାରିନଥିଲା। ଫଳରେ ସରକାରଙ୍କ ପ୍ରସ୍ତାବ ଆଗକୁ ବଢ଼ିପାରିନଥିଲା।

ଏବେ ପୁଣିଥରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିବାରୁ ମହିଳା ସଂରକ୍ଷଣ ଓ ଡିଲିମିଟେସନ୍‌ ପ୍ରସଙ୍ଗ ଉପରେ ରାଜନୈତିକ ଦଳଗୁଡ଼ିକର ଆଭିମୁଖ୍ୟ କ’ଣ ରହିବ, ତାହା ଉପରେ ନଜର ରହିଛି।

ତେବେ ଏହି ଅଧିବେଶନରେ ଉକ୍ତ ବିଲ୍‌ଗୁଡ଼ିକ ଆସିବ କି ନାହିଁ, ସେନେଇ ସରକାରଙ୍କ ପକ୍ଷରୁ ଏଯାଏଁ କୌଣସି ଔପଚାରିକ ଘୋଷଣା ହୋଇନାହିଁ।