ନୂଆଦିଲ୍ଲୀ: ଦେଶର ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବା ଲାଗି ନାଗରିକଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସମ୍ପ୍ରତି ପ୍ରକାଶିତ ୭.୮ ପ୍ରତିଶତ ଜିଡିପି ଅଭିବୃଦ୍ଧିକୁ ନେଇ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ରିଲ୍ ସେୟାର କରି ସେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ‘ସ୍ୱଦେଶୀ’ ଓ ‘ଭୋକାଲ୍ ଫର୍ ଲୋକାଲ୍’କୁ ଅଧିକ ପ୍ରୋତ୍ସାହନ ଦେବାକୁ ଆହ୍ୱାନ କରିଛନ୍ତି।
ଦେଶର ଅର୍ଥନୈତିକ ଓ ମୁଦ୍ରାଗତ ସ୍ଥିତିକୁ ସୁଦୃଢ଼ ରଖିବାରେ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦୀ କହିଛନ୍ତି। ଅନାବଶ୍ୟକ ବିଦେଶ ଯାତ୍ରା ପରିବର୍ତ୍ତେ ଦେଶର ପର୍ଯ୍ୟଟନସ୍ଥଳୀ ବୁଲିବାକୁ ସେ ପରାମର୍ଶ ଦେଇଛନ୍ତି।
ବିଦେଶରେ ବିବାହ ଓ ଅତ୍ୟଧିକ ସୁନା କିଣା ଉପରେ ରୋକ୍ ପାଇଁ ଅପିଲ୍
ବିଦେଶରେ ବିବାହ ଆୟୋଜନ କଲେ ଦେଶର ଅର୍ଥ ବାହାରକୁ ଚାଲିଯାଏ ବୋଲି ଦର୍ଶାଇ ଦେଶ ଭିତରେ ହିଁ ବିବାହ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ଅପିଲ୍ କରିଛନ୍ତି। ସେହିପରି ଅତ୍ୟଧିକ ସୁନା କିଣିବା ପ୍ରବୃତ୍ତିରୁ ଦୂରେଇ ରହିବାକୁ ମଧ୍ୟ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
‘ଭୋକାଲ୍ ଫର୍ ଲୋକାଲ୍’ ଉପରେ ଗୁରୁତ୍ୱ
ବିଶ୍ୱସ୍ତରୀୟ ଆର୍ଥିକ ଅସ୍ଥିରତା ଓ ବିଭିନ୍ନ ଚ୍ୟାଲେଞ୍ଜ ମଧ୍ୟରେ ଭାରତୀୟ ଅର୍ଥନୀତି ୭.୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ମୋଦୀ ଏକ ବଡ଼ ସଫଳତା ବୋଲି କହିଛନ୍ତି। ଏହି ଅଭିବୃଦ୍ଧିର ଧାରାକୁ ଜାରି ରଖିବା ପାଇଁ ଦେଶବାସୀଙ୍କୁ ‘ଭୋକାଲ୍ ଫର୍ ଲୋକାଲ୍’ ମନ୍ତ୍ର ଆପଣାଇବା ସହ ସ୍ୱଦେଶୀ ସାମଗ୍ରୀକୁ ଅଧିକ ପ୍ରାଧାନ୍ୟ ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।




