ନୂଆଦିଲ୍ଲୀ: ନିଟ୍‌ ୟୁଜି ପରୀକ୍ଷାର୍ଥୀଙ୍କ ଯାତାୟାତରେ କୌଣସି ବାଧା ସୃଷ୍ଟି ନହେବାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ବିଶେଷ ପଦକ୍ଷେପ ନେଇଥିବା ସୂଚନା ମିଳିଛି। ପରୀକ୍ଷା ସମୟରେ ଟ୍ରାଫିକ୍‌ ପ୍ରଭାବିତ ହେବା ଆଶଙ୍କାକୁ ଏଡ଼ାଇବା ପାଇଁ ସେ ପ୍ରାୟ ୪୫ ମିନିଟ୍‌ ଦିଲ୍ଲୀ ବିମାନବନ୍ଦରରେ ଅପେକ୍ଷା କରିଥିଲେ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ନିର୍ଦ୍ଧାରିତ ସମୟ ଅନୁସାରେ ଦିନ ୧:୧୫ରେ ବାହାରିପାରୁଥାନ୍ତା। କିନ୍ତୁ ଅପରାହ୍ନ ୨ଟାରେ ନିଟ୍‌ ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀମାନଙ୍କ ଯାତାୟାତରେ ପ୍ରଭାବ ପଡ଼ିପାରେ ବୋଲି ଆକଳନ କରାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରୋଟୋକଲ୍‌ ଅନୁଯାୟୀ କାରକେଡ୍‌ ଚଳାଚଳ ସମୟରେ କିଛି ସମୟ ପାଇଁ ଟ୍ରାଫିକ୍‌ ନିୟନ୍ତ୍ରଣ କରାଯାଏ। ଏହା ପରୀକ୍ଷାର୍ଥୀଙ୍କୁ ଅସୁବିଧାରେ ପକାଇପାରେ ବୋଲି ବିଚାର କରି ପ୍ରଧାନମନ୍ତ୍ରୀ ବିମାନବନ୍ଦରରେ ରହିବାକୁ ନିଷ୍ପତ୍ତି ନେଇଥିଲେ।

ଏହି ସମୟରେ ସୁରକ୍ଷା ଓ ଟ୍ରାଫିକ୍‌ ବ୍ୟବସ୍ଥାକୁ ମଧ୍ୟ ସମନ୍ୱୟ କରାଯାଇଥିବା ସୂଚନା ମିଳିଛି। ଏହା ଫଳରେ ପରୀକ୍ଷାର୍ଥୀମାନେ ସୁବିଧାରେ ନିଜ ନିଜ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିଥିଲେ।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ରବିବାର ପଶ୍ଚିମବଙ୍ଗରେ ଏକ ଯୋଗ କାର୍ଯ୍ୟକ୍ରମ ଏବଂ ଭାରତୀୟ ନୌସେନାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନୂଆଦିଲ୍ଲୀ ଫେରୁଥିଲେ।