କଟକ: ରେଳବାଇ ସୁରକ୍ଷା ବଳ (RPF) କର୍ମଚାରୀଙ୍କ ତତ୍ପରତା ଓ ମାନବିକତା ଯୋଗୁଁ ରବିବାର ସକାଳେ ଜଣେ ଗର୍ଭବତୀ ମହିଳା ସୁରକ୍ଷିତ ଭାବେ ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି। ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ (ଟ୍ରେନ୍ ନଂ-୧୮୧୧୭) କଟକ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟ୍ରେନ୍ ଭିତରେ ପ୍ରଥମ ଶିଶୁଟିର ଜନ୍ମ ହୋଇଥିବା ବେଳେ, ହସ୍ପିଟାଲ ଯିବା ବାଟରେ ଆମ୍ବୁଲାନ୍ସ ଭିତରେ ଦ୍ଵିତୀୟ ଶିଶୁଟି ଜନ୍ମ ହୋଇଛି।

ରେଳ ସଦନରୁ ସୂଚନା ପାଇବା ମାତ୍ରେ କଟକ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଆରପିଏଫ୍‌ର ତିନି ଜଣ ମହିଳା କର୍ମଚାରୀ ଓ ଜଣେ ଡ୍ୟୁଟି ଅଫିସର ପ୍ରସ୍ତୁତ ହୋଇ ରହିଥିଲେ। ସକାଳ ୬:୫୩ ରେ ଟ୍ରେନ୍ ପହଞ୍ଚିବା ବେଳକୁ ଜେନେରାଲ ବଗିରେ ମହିଳା ଜଣକ ପ୍ରଥମ ସନ୍ତାନ ପ୍ରସବ କରିସାରିଥିଲେ। ତେବେ ମହିଳାଙ୍କ ପେଟରେ ଯାଆଁଳା ଶିଶୁ ଥିବା ଏବଂ ସେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜାଣିବା ପରେ ଆରପିଏଫ୍ ଟିମ୍ ତୁରନ୍ତ ପ୍ଲାଟଫର୍ମର ସେହି ଅଂଶକୁ କର୍ଡନ କରି ମହିଳାଙ୍କ ଗୋପନୀୟତା ରକ୍ଷା କରିଥିଲେ। ଟ୍ରେନରେ ଯାତ୍ରା କରୁଥିବା ଜଣେ ଫାର୍ମାସିଷ୍ଟ ମାଇକ୍ ଘୋଷଣା ଶୁଣି ଆଗେଇ ଆସି ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲେ।

ଏହାପରେ ମହିଳା ଓ ନବଜାତ ଶିଶୁକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଥିଲା। ସୁରକ୍ଷା ପାଇଁ ଦୁଇଜଣ ମହିଳା RPF କର୍ମଚାରୀ ମଧ୍ୟ ଆମ୍ବୁଲାନ୍ସରେ ସାଙ୍ଗରେ ଯାଇଥିଲେ। ମେଡିକାଲରେ ପହଞ୍ଚିବା ପୂର୍ବରୁ ବାଟରେ ମହିଳା RPF କର୍ମଚାରୀଙ୍କ ସହାୟତାରେ ଆମ୍ବୁଲାନ୍ସ ଭିତରେ ଦ୍ଵିତୀୟ ଶିଶୁଟିର ସୁରକ୍ଷିତ ପ୍ରସବ କରାଯାଇଥିଲା।

ରେଳ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମା’ ଏବଂ ଦୁଇ ନବଜାତ ଶିଶୁଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଏହି ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ରାଜ୍ୟରାଣୀ ଏକ୍ସପ୍ରେସ ପ୍ରାୟ ୧୫ ମିନିଟ୍ ବିଳମ୍ବରେ କଟକ ଷ୍ଟେସନ ଛାଡିଥିଲା। RPF ର ‘ଅପରେସନ୍ ମାତୃଶକ୍ତି’ ଅଧୀନରେ ଦେଖିବାକୁ ମିଳିଥିବା ଏହି ମାନବିକତା ଓ ସମନ୍ୱୟକୁ ରେଳବାଇର ବରିଷ୍ଠ ଅଧିକାରୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି।