ଚଣ୍ଡୀଗଡ଼: ପଞ୍ଜାବ ପୋଲିସ୍‌ର ଆଣ୍ଟି-ଗ୍ୟାଙ୍ଗଷ୍ଟର୍ ଟାସ୍କ ଫୋର୍ସ, କାଉଣ୍ଟର୍ ଇଣ୍ଟେଲିଜେନ୍ସ ଏବଂ ଏସବିଏସ୍ ନଗର (ନବାଂସହର) ପୋଲିସ୍‌ର ମିଳିତ ଅପରେସନ୍‌ରେ ଏକ ବଡ଼ ଗ୍ୟାଙ୍ଗଷ୍ଟର୍ ନେଟୱାର୍କର ପର୍ଦ୍ଦାଫାଶ ହୋଇଛି। ପୋଲିସ୍ ନବାଂସହରରୁ ଦୁଇ ଜଣ ସକ୍ରିୟ ସହଯୋଗୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦୁଇଟି ଅତ୍ୟାଧୁନିକ .30 କ୍ୟାଲିବର୍ ପିଷ୍ଟଲ ଏବଂ ଗୋଳାବାରୁଦ ଜବତ କରିଛି। ଏହି ସୂଚନା ପଞ୍ଜାବ ଡିଜିପି ଗୌରବ ଯାଦବ ଦେଇଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫ ଅଭିଯୁକ୍ତମାନେ ବିଦେଶରେ ଥିବା ହ୍ୟାଣ୍ଡଲର୍‌ଙ୍କ ସହ ସୀଧାସଳଖ ଯୋଗାଯୋଗରେ ଥିଲେ। ଏସବିଏସ୍ ନଗର କୋର୍ଟରେ ହାଜର ହେବା ସମୟରେ ଜଣେ ପ୍ରତିପକ୍ଷ ଗ୍ୟାଙ୍ଗ୍ ସଦସ୍ୟଙ୍କୁ ହତ୍ୟା କରିବା ପାଇଁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। “ସମୟପୋଯୋଗୀ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏକ ବଡ଼ ଧରଣର ସୁଚିନ୍ତିତ ହତ୍ୟାକାଣ୍ଡକୁ ଏଡ଼ାଯାଇ ପାରିଛି,” ବୋଲି ଡିଜିପି ଏକ୍ସ (ଟ୍ୱିଟର) ମାଧ୍ୟମରେ ସୂଚନା ଦେଇଛନ୍ତି।

ଏହା ବ୍ୟତୀତ, ଗତ ଅକ୍ଟୋବର ୩ ତାରିଖରେ ଲୁଧିଆନାରେ ଜଣେ ସରପଞ୍ଚଙ୍କୁ ହୋଇଥିବା ସୁପାରୀ କିଲିଂ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ନେଇ ଗିରଫ ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି।

ଏହାର ଦିନକ ପୂର୍ବରୁ ଅମୃତସର ଗ୍ରାମାଞ୍ଚଳ ପୋଲିସ୍ ଦୁଇଟି ନିର୍ଦ୍ଦିଷ୍ଟ ଅପରେସନ୍ ମାଧ୍ୟମରେ ଅନ୍ତର୍ଜାତୀୟ ନିଶା କାରବାର ଏବଂ ବେଆଇନ୍ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ନେଟୱାର୍କର ପର୍ଦ୍ଦାଫାଶ କରିଥିଲା। ଏହି କାର୍ଯ୍ୟାନୁଷ୍ଠାନରେ ୩ ଜଣ ନାବାଳକଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି।

ସେମାନଙ୍କ ନିକଟରୁ:

  • ୧ଟି ହ୍ୟାଣ୍ଡ ଗ୍ରେନେଡ୍
  • ୨ଟି .30 ବୋର୍ ପିସ୍ତୋଲ ଏବଂ ୨୯ଟି ଜୀବନ୍ତ ଗୁଳି
  • ୩.୪ କିଲୋଗ୍ରାମ ହେରୋଇନ୍ ଜବତ କରାଯାଇଛି।

ଗିରଫ ମୁଖ୍ୟ ଅଭିଯୁକ୍ତ ଅଜୟ ଏବଂ ରୋବିନ୍ ମସିହ୍ ସୀମାପାରରୁ ଡ୍ରୋନ୍ ମାଧ୍ୟମରେ ଆସୁଥିବା ହେରୋଇନ୍ ଓ ଅସ୍ତ୍ରଶସ୍ତ୍ର ସଂଗ୍ରହ କରି ବିଦେଶୀ ଗ୍ୟାଙ୍ଗଷ୍ଟରଙ୍କ ନିର୍ଦ୍ଦେଶରେ ବିଭିନ୍ନ ଅପରାଧୀଙ୍କୁ ଯୋଗାଉଥିଲେ। ସେଣ୍ଟ୍ରାଲ୍ ଏଜେନ୍ସିର ସହଯୋଗରେ ମାନାୱାଲା ଅଞ୍ଚଳରେ ନାକାବନ୍ଦୀ କରାଯାଇ ସେମାନଙ୍କୁ ଗିରଫ କରାଯାଇଥିଲା।