ଭୁବନେଶ୍ୱର: ଗ୍ରାମାଞ୍ଚଳରେ ସହର ଭଳି ଆଧୁନିକ ସୁବିଧା ଓ ଭିତ୍ତିଭୂମି ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଗ୍ରାମ ସମ୍ପଦ’ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହି ଯୋଜନାରେ ପଞ୍ଚାୟତର ଜନସଂଖ୍ୟା ଆଧାରରେ ପ୍ରତି ଗ୍ରାମପଞ୍ଚାୟତକୁ ବର୍ଷକୁ ୧.୫ କୋଟିରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ। ଆଗାମୀ ୫ ବର୍ଷକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି।

ଆସନ୍ତାବର୍ଷ ଏପ୍ରିଲ-ମେ’ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ଏହା ପୂର୍ବରୁ ଗ୍ରାମପଞ୍ଚାୟତଗୁଡ଼ିକର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ‘ଗ୍ରାମ ସମ୍ପଦ’ ଅଧୀନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ପାଣ୍ଠିକୁ ସମନ୍ୱିତ କରି ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯିବ।

ଗ୍ରାମସଭାରେ ଚୂଡ଼ାନ୍ତ ହେବ ପ୍ରକଳ୍ପ

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗାଁରେ କେଉଁ ପ୍ରକଳ୍ପର ଆବଶ୍ୟକତା ରହିଛି, ତାହା ଗ୍ରାମସଭାରେ ଚୂଡ଼ାନ୍ତ କରାଯିବ। ଲୋକଙ୍କ ଆବଶ୍ୟକତା ଆଧାରରେ ମନୋରଞ୍ଜନ, କ୍ରୀଡ଼ା, ସାମାଜିକ କାର୍ଯ୍ୟ ଓ ସାର୍ବଜନୀନ ସୁବିଧା ସୁଦୃଢ଼ କରାଯିବ। ଗାଁରେ ସହରାଞ୍ଚଳ ଭଳି ଆବଶ୍ୟକ ସୁବିଧା ଓ ଆନୁଷଙ୍ଗିକ ଭିତ୍ତିଭୂମି ଯୋଗାଇବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ।

ଯୋଜନାରେ ବିଜିବିଓ, ସିଏଫ୍‌ସି, ଏସ୍‌ଏଫ୍‌ସି, ସିଏସ୍‌ଆର୍‌, ଡିଏମ୍‌ଏଫ୍‌, ବିଧାୟକ ପାଣ୍ଠି ଓ ଭିଭିଜି ରାମ୍‌ଜୀ ଭଳି ବିଭିନ୍ନ ପାଣ୍ଠିକୁ ସମନ୍ୱିତ କରାଯିବ।

କେଉଁ ପ୍ରକଳ୍ପ ପାଇଁ କେତେ ଟଙ୍କା?

ପ୍ରତି ପଞ୍ଚାୟତରେ ବିଭିନ୍ନ ଆଦର୍ଶ ଭିତ୍ତିଭୂମି ନିର୍ମାଣ ପାଇଁ ନିର୍ଦ୍ଧିଷ୍ଟ ଅର୍ଥ ବ୍ୟୟ କରାଯିବ।

  • ଆଦର୍ଶ ଖେଳପଡ଼ିଆ: ୬୫.୭୫ ଲକ୍ଷ ଟଙ୍କା
  • ଆଦର୍ଶ କଲ୍ୟାଣ ମଣ୍ଡପ: ୪୯ ଲକ୍ଷ ଟଙ୍କା
  • ଆଦର୍ଶ ପୋଖରୀ: ୩୪ ଲକ୍ଷ ଟଙ୍କା
  • ଆଦର୍ଶ ଶ୍ମଶାନ: ୨୨ ଲକ୍ଷ ଟଙ୍କା
  • ଆଦର୍ଶ ଗ୍ରାମୀଣ ପାର୍କ: ୨୦ ଲକ୍ଷ ଟଙ୍କା
  • ଆଦର୍ଶ ଗ୍ରାମୀଣ ହାଟ: ୧୬.୫୦ ଲକ୍ଷ ଟଙ୍କା
  • ଆଦର୍ଶ ପଞ୍ଚାୟତ ପାଠାଗାର: ୧୦ ଲକ୍ଷ ଟଙ୍କା

କଲ୍ୟାଣ ମଣ୍ଡପରେ ହେବ ବିଭିନ୍ନ କାର୍ଯ୍ୟକ୍ରମ

ଆଦର୍ଶ କଲ୍ୟାଣ ମଣ୍ଡପ କେବଳ ବିବାହ କିମ୍ବା ବ୍ରତଘର ପାଇଁ ନୁହେଁ, ବରଂ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ବ୍ୟବହାରଯୋଗ୍ୟ ହେବ। ଏଥିରେ ବଡ଼ ହଲ୍‌, ପେଣ୍ଡାଲ ଓ ଦୁଇଟି ଗ୍ରିନ୍‌ ରୁମ୍‌ ରହିବ। ନାଚ, ଗୀତ, ନାଟକ ଆଦି ସହ ଭୋଜିଭାତ ପାଇଁ ମଧ୍ୟ ସୁବିଧା ରହିବ। ଆଗାମୀ ଦିନରେ ପ୍ରତିବର୍ଷ ପ୍ରତି ପଞ୍ଚାୟତରେ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରିବାର ଯୋଜନା ରହିଛି।

ଆଦର୍ଶ ପୋଖରୀର ଚାରିପଟେ ପଥର ବନ୍ଧେଇ ସହ ପେଭର ବ୍ଲକ୍‌ରେ ଚଲାପଥ ନିର୍ମାଣ କରାଯିବ। ଏଥିସହ ମୁକ୍ତାକାଶ ବ୍ୟାୟାମଶାଳା ମଧ୍ୟ ରହିବ।

ପାର୍କ, ହାଟ ଓ ପାଠାଗାରକୁ ଗୁରୁତ୍ୱ

ଆଦର୍ଶ ଶ୍ମଶାନରେ ଶବଦାହ ଗୃହ, ଗାଧୋଇବା ଓ ପୋଷାକ ବଦଳାଇବା ପାଇଁ ବ୍ୟବସ୍ଥା ରହିବ। ଜବରଦଖଲ ରୋକିବା ପାଇଁ ଚାରିପଟେ ପାଚେରି ନିର୍ମାଣ କରାଯିବ।

ଆଦର୍ଶ ଗ୍ରାମୀଣ ପାର୍କରେ ବିଭିନ୍ନ ପ୍ରକାରର ଗଛ ଲଗାଯିବା ସହ ଆଲୋକୀକରଣ, ଜିମ୍‌ ଓ ଲୋକଙ୍କ ବସିବା ପାଇଁ ପିଣ୍ଡି ନିର୍ମାଣ କରାଯିବ। ଆଦର୍ଶ ଗ୍ରାମୀଣ ହାଟରେ ପାନୀୟ ଜଳ, ସୁନ୍ଦର ପ୍ରବେଶଦ୍ୱାର ଓ ଆବଶ୍ୟକ ଭିତ୍ତିଭୂମି ରହିବ।

ଏହାସହ ପ୍ରତି ଗ୍ରାମପଞ୍ଚାୟତରେ ୭୦୦ଟି ଗଛ ଲଗାଯିବ। ଛାତ୍ରଛାତ୍ରୀ ଓ ସାଧାରଣ ପାଠକଙ୍କ ପାଇଁ ଆଦର୍ଶ ପାଠାଗାର ନିର୍ମାଣ କରାଯିବ। ଏହି ସବୁ ଭିତ୍ତିଭୂମିର ରକ୍ଷଣାବେକ୍ଷଣ, ମରାମତି ଓ ଉପଯୋଗ ବୃଦ୍ଧି ପାଇଁ ମଧ୍ୟ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।