ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଓ ବିଶ୍ୱ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ମଧ୍ୟରେ ଭାରତୀୟ ଅର୍ଥନୀତି ଉପରେ ଚାପ ବଢ଼ିଛି। ଏହି ପରିସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପ୍ରାୟ ୧୨ ବିଲିଅନ ଡଲାର ମୂଲ୍ୟର ସୁନା ବିକ୍ରି କରିଥାଇପାରେ ବୋଲି ଏକ ରିପୋର୍ଟରେ ଆକଳନ କରାଯାଇଛି। ଏହି ପଦକ୍ଷେପର ଲକ୍ଷ୍ୟ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ପଡୁଥିବା ଚାପକୁ କମାଇବା ବୋଲି କୁହାଯାଉଛି।
ରିପୋର୍ଟ ଅନୁସାରେ, ମଧ୍ୟପ୍ରାଚ୍ୟର ଅସ୍ଥିରତା ପରେ ତେଲ ଦର ବଢ଼ିବା ସହ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଦୁର୍ବଳ ହୋଇଛି। ଏହାର ସିଧାସଳଖ ପ୍ରଭାବ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ପଡ଼ିଛି। ଏହି ପ୍ରଭାବକୁ ନିୟନ୍ତ୍ରଣ କରିବାକୁ ସରକାର ଏବଂ ଆର୍ବିଆଇ ବିଭିନ୍ନ ଆର୍ଥିକ ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ଏହି ପରିପ୍ରେକ୍ଷୀରେ ସୁନା ଉପରେ ଆମଦାନି ଶୁଳ୍କ ୬ ପ୍ରତିଶତରୁ ବୃଦ୍ଧି ପାଇ ୧୫ ପ୍ରତିଶତ କରାଯାଇଛି। ଏହା ସହିତ ବିଦେଶୀ ମୁଦ୍ରା ବ୍ୟବହାର କମ୍ କରିବା ପାଇଁ ସରକାର ଲୋକଙ୍କୁ ମଧ୍ୟ ସଂଯମ ରଖିବାକୁ ଆହ୍ୱାନ କରିଛନ୍ତି।
ବ୍ଲୁମବର୍ଗ ଇକୋନୋମିକ୍ସ ଆକଳନ ଅନୁସାରେ, ଗତ ମେ ୨୨ରେ ଶେଷ ହୋଇଥିବା ପକ୍ଷରେ ଆର୍ବିଆଇ ପ୍ରାୟ ୧୨ ବିଲିଅନ ଡଲାରର ସୁନା ବିକ୍ରି କରିଥିଲା। ସେହି ସମୟରେ ପ୍ରାୟ ୭.୫ ବିଲିଅନ ଡଲାରର ବିଦେଶୀ ମୁଦ୍ରା ଯୋଡ଼ାଯାଇଥିବା ଆକଳନ କରାଯାଇଛି।
ମାର୍ଚ୍ଚ ୨୦୨୬ ଶେଷ ସୁଦ୍ଧା ଆର୍ବିଆଇ ନିକଟରେ ୮୮୦.୫୨ ଟନ ସୁନା ମଜୁତ ଥିଲା। ସେଥିରୁ ପ୍ରାୟ ୭୭ ପ୍ରତିଶତ ସୁନା ଭାରତରେ ସଂରକ୍ଷିତ ରହିଥିବା ବେଳେ ବାକି ସୁନା ବିଦେଶରେ ରଖାଯାଇଛି। କିଛି ମାସ ପୂର୍ବରୁ ଦେଶ ଭିତରେ ସଂରକ୍ଷିତ ସୁନାର ହାର ୬୬ ପ୍ରତିଶତ ଥିଲା।
ଆର୍ବିଆଇର ଏପ୍ରିଲ ରିପୋର୍ଟ ଅନୁସାରେ, ବିଦେଶରେ ରହିଥିବା ସୁନାର ବଡ଼ ଅଂଶ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଓ ବ୍ୟାଙ୍କ ଫର୍ ଇଣ୍ଟରନ୍ୟାସନାଲ ସେଟେଲମେଣ୍ଟସ୍ ନିକଟରେ ସଂରକ୍ଷିତ ଅଛି।
ଉଲ୍ଲେଖନୀୟ, ଗତ ଦୁଇ ଦଶନ୍ଧି ଧରି ଆର୍ବିଆଇ ସୁନା ମଜୁତ ବଢ଼ାଇବା ଉପରେ ଗୁରୁତ୍ୱ ଦେଇଆସୁଛି। ୨୦୦୦ ମସିହାରେ ୩୫୭.୭୬ ଟନ ଥିବା ସୁନା ଭଣ୍ଡାର ୨୦୨୫ ସୁଦ୍ଧା ବଢ଼ି ୮୮୦ ଟନରୁ ଅଧିକକୁ ପହଞ୍ଚିଛି, ଯାହା ଦୀର୍ଘମିଆଦି ଆର୍ଥିକ ସୁରକ୍ଷା ରଣନୀତିର ଅଂଶ ବୋଲି ଧରାଯାଉଛି।




