ନୂଆଦିଲ୍ଲୀ: Reserve Bank of India ୨୦୨୫-୨୬ ଆର୍ଥିକବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ ରେକର୍ଡ ୨.୮୭ ଲକ୍ଷ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିବ। ମୁମ୍ବାଇରେ ଗଭର୍ଣ୍ଣର Sanjay Malhotraଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରିଜର୍ଭ ବ୍ୟାଙ୍କର ୬୨୩ତମ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜଣାଯାଇଛି ଯେ, ୨୦୨୫-୨୬ରେ ସରକାରଙ୍କୁ ମୋଟ ୨,୮୬,୫୮୮.୪୬ କୋଟି ଟଙ୍କା ହସ୍ତାନ୍ତର କରାଯିବ। ଏହା ପୂର୍ବବର୍ଷ ୨୦୨୪-୨୫ର ୨.୬୯ ଲକ୍ଷ କୋଟି ଟଙ୍କା ତୁଳନାରେ ପ୍ରାୟ ୧୮ ହଜାର କୋଟି ଟଙ୍କା ଅଧିକ।

କେନ୍ଦ୍ରୀୟ ବ୍ୟାଙ୍କର ନିଟ୍‌ ଆୟ ମଧ୍ୟ ଲକ୍ଷଣୀୟ ଭାବେ ବଢ଼ିଛି। ରିସ୍କ ପରିଚାଳନା ଓ ବୈଧାନିକ ପାଣ୍ଠି ହସ୍ତାନ୍ତର ପୂର୍ବରୁ ବ୍ୟାଙ୍କର ନିଟ୍‌ ଆୟ ୩,୯୫,୯୭୨.୧୦ କୋଟି ଟଙ୍କାରେ ପହଞ୍ଚିଛି। ଗତ ଆର୍ଥିକବର୍ଷରେ ଏହା ୩,୧୩,୪୫୫.୭୭ କୋଟି ଟଙ୍କା ଥିଲା।

ବୋର୍ଡ ବୈଠକରେ ଦେଶର ସ୍ଥୂଳ ଅର୍ଥନୀତି, ବ୍ୟାଙ୍କିଂ କ୍ଷେତ୍ରର ଆର୍ଥିକ ପ୍ରଦର୍ଶନ ଓ ବିପଦ ପରିଚାଳନା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ସେହି ଅନୁଯାୟୀ, ‘କଣ୍ଟିଜେଣ୍ଟ ରିସ୍କ ବଫର’ (ସିଆର୍‌ବି) ପାଇଁ ୧,୦୯,୩୭୯.୬୪ କୋଟି ଟଙ୍କା ଅଲଗା ରଖାଯିବାକୁ ମଧ୍ୟ ସ୍ଥିର କରାଯାଇଛି।

ରିଜର୍ଭ ବ୍ୟାଙ୍କର ବାଲାନ୍ସ ସିଟ୍‌ ମଧ୍ୟ ୨୦.୬୧ ପ୍ରତିଶତ ବୃଦ୍ଧି ପାଇ ୯୧,୯୭,୧୨୧.୦୮ କୋଟି ଟଙ୍କାରେ ପହଞ୍ଚିଛି। ସଂଶୋଧିତ ଅର୍ଥନୈତିକ ପୁଞ୍ଜି ଢାଞ୍ଚା ଅନୁଯାୟୀ, ସିଆର୍‌ବିକୁ ବାଲାନ୍ସ ସିଟ୍‌ର ୪.୫ରୁ ୭.୫ ପ୍ରତିଶତ ମଧ୍ୟରେ ରଖିବାର ବ୍ୟବସ୍ଥା ରହିଛି।

ମଧ୍ୟପ୍ରାଚ୍ୟର ଯୁଦ୍ଧସ୍ଥିତି ଓ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ସରକାରଙ୍କ ଉପରେ ଆର୍ଥିକ ଚାପ ବଢ଼ୁଥିବା ବେଳେ ରିଜର୍ଭ ବ୍ୟାଙ୍କର ଏହି ରେକର୍ଡ ଲାଭାଂଶ ସରକାରଙ୍କୁ ବଡ଼ ଆର୍ଥିକ ଆଶ୍ୱସ୍ତି ଦେବ ବୋଲି ଅର୍ଥନୀତିଜ୍ଞମାନେ ମତ ପ୍ରକାଶ କରିଛନ୍ତି।