ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ଲଗାତାର ଦୁର୍ବଳ ହେଉଛି। ଗତ ୮ ଦିନ ଧରି ଟଙ୍କାର ପତନ ଜାରି ରହିଥିବାବେଳେ ମଙ୍ଗଳବାର କାରବାର ମଝିରେ ଏହା ରେକର୍ଡ ୯୬ ଟଙ୍କା ୬୦ ପଇସା ସ୍ତରକୁ ଖସିଯାଇଥିଲା। ପରେ କିଛିଟା ସୁଧାର ଆସିଥିଲେ ମଧ୍ୟ କାରବାର ଶେଷବେଳକୁ ଟଙ୍କା ୯୬ ଟଙ୍କା ୫୩ ପଇସାରେ ବନ୍ଦ ହୋଇଛି। ସୋମବାର ଏହା ୯୬ ଟଙ୍କା ୩୪ ପଇସାରେ ବନ୍ଦ ହୋଇଥିଲା।
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଓ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇଁ ଡଲାର ଶକ୍ତିଶାଳୀ ହେଉଥିବାବେଳେ ଟଙ୍କା ଉପରେ ଚାପ ବଢ଼ିଛି। ବିଶେଷକରି ଇରାନ-ଆମେରିକା ମଧ୍ୟରେ ତଣାଟଣି କେବେ ସମାପ୍ତ ହେବ ସେନେଇ ଅନିଶ୍ଚିତତା ଜାରି ରହିଛି।
ଅର୍ଥନୀତିବିଦମାନଙ୍କ ମତାନୁସାରେ, ଭାରତୀୟ ଅର୍ଥନୀତି ଉପରେ ବଢ଼ୁଥିବା ଆମଦାନି ଖର୍ଚ୍ଚ, ତେଲ ମୂଲ୍ୟ ବୃଦ୍ଧି ଓ ବିଶ୍ୱବ୍ୟାପୀ ଆର୍ଥିକ ଚାପର ପ୍ରଭାବ ଟଙ୍କାର ମୂଲ୍ୟକୁ ଆହୁରି ଦୁର୍ବଳ କରୁଛି। ଗତ ଶୁକ୍ରବାର ପ୍ରଥମ ଥର ପାଇଁ ଡଲାର ତୁଳନାରେ ଟଙ୍କା ୯୬ ସ୍ତର ଅତିକ୍ରମ କରିଥିଲା। ମଧ୍ୟପ୍ରାଚ୍ୟ ସଂକଟ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ଟଙ୍କାର ମୂଲ୍ୟ ପ୍ରାୟ ୬ ପ୍ରତିଶତ ହ୍ରାସ ପାଇଥିବା ଜଣାପଡ଼ିଛି।




