ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର କାର୍ଯ୍ୟପ୍ରଣାଳୀକୁ ନେଇ ଭୁବନେଶ୍ୱର ସାଂସଦ Aparajita Sarangi ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲ୍ଲା ରୋଗୀ କଲ୍ୟାଣ ସମିତିର ଗଭର୍ଣ୍ଣିଂ ବଡି ବୈଠକରେ ସେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଓ ପ୍ରଶାସନିକ ଦୁର୍ବଳତାକୁ କଡା ଭାବେ ସମାଲୋଚନା କରିଥିଲେ। ଏପରିକି ବୈଠକ ଅଧାରୁ ଉଠି ଆସି ସମସ୍ତ ତ୍ରୁଟି ଦୂର କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଏକ ମାସର ସମୟ ଦେଇଛନ୍ତି।

ସୂଚନା ଅନୁଯାୟୀ, ପ୍ରାୟ ୨୦ ମାସ ପୂର୍ବରୁ ହୋଇଥିବା ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ସାଂସଦ ଅପରାଜିତା ଷଡଙ୍ଗୀ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ବିସ୍ତୃତ ପରାମର୍ଶ ଦେଇଥିଲେ। ହେଲେ ସେତେବେଳର ଅଧିକାଂଶ ସମସ୍ୟା ଏବେ ମଧ୍ୟ ଅବିକଳ ରହିଥିବା ଜାଣି ସେ ଅସନ୍ତୋଷ ପ୍ରକାଶ କରିଥିଲେ।

ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଥିବା ବୈଠକରେ ଖୋର୍ଦ୍ଧା ବିଧାୟକ, ପୌରାଧ୍ୟକ୍ଷା, ଜିଲ୍ଲା ପରିଷଦର ସିଇଓ, ସିଡିଏମଓ ଡାକ୍ତର ସଞ୍ଜୟ ରାୟଙ୍କ ସହ ବିଭିନ୍ନ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ଆରମ୍ଭରୁ ହିଁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦୁରବସ୍ଥା, ପ୍ରସ୍ତୁତିର ଅଭାବ ଓ ଅଧିକାରୀମାନଙ୍କ ଅବଜ୍ଞାନକୁ ନେଇ ସାଂସଦ କ୍ଷୁବ୍ଧ ହୋଇଥିଲେ।

ମାତୃ ଓ ଶିଶୁ ବିଭାଗ ସହ ବିଭିନ୍ନ ସେବାରେ ଗୁରୁତର ଅବହେଳା ଦେଖାଯାଉଥିବା ସେ ଉଲ୍ଲେଖ କରିଥିଲେ। “ସ୍ୱାସ୍ଥ୍ୟ ସେବା ଅତ୍ୟନ୍ତ ସମ୍ବେଦନଶୀଳ କ୍ଷେତ୍ର। ଏଠାରେ ଅବହେଳା ଓ ଅନାଗ୍ରହ କେବେ ବି ଗ୍ରହଣୀୟ ନୁହେଁ,” ବୋଲି ସେ କହିଥିଲେ।

ସାଂସଦ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଆସନ୍ତା ୩୦ ଜୁନ୍‌ ପୂର୍ବରୁ ସମସ୍ତ ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ପୁନର୍ବାର ସମୀକ୍ଷା ବୈଠକ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।