କିବ୍‌: ରୁଷ୍‌ ଗୁରୁବାର ୟୁକ୍ରେନର ରାଜଧାନୀ କିବ୍‌ ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଆକ୍ରମଣ କରିଥିବାରୁ ସହରର ବିଭିନ୍ନ ଅଞ୍ଚଳରେ ଜୋରଦାର ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ଏହା ପରେ ରାଜଧାନୀ ସମେତ ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ସତର୍କତାକୁ ଆହୁରି କଡ଼ା କରାଯାଇଛି।

ୟୁକ୍ରେନ ବାୟୁସେନାର ସୂଚନା ଅନୁଯାୟୀ, ରୁଷ୍‌ ପକ୍ଷରୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ସହ ବହୁ ଡ୍ରୋନ୍‌ ବ୍ୟବହାର କରି ଆକ୍ରମଣ କରାଯାଇଥିଲା। ୟୁକ୍ରେନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅନେକ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌କୁ ମଝି ଆକାଶରେ ଧ୍ୱଂସ କରିଥିଲେ ମଧ୍ୟ କିଛି ସ୍ଥାନରେ କ୍ଷତି ହୋଇଥିବା ସୂଚନା ମିଳିଛି।

ଆକ୍ରମଣ ପରେ କିବ୍‌ର ବିଭିନ୍ନ ଅଞ୍ଚଳକୁ ଜରୁରିକାଳୀନ ସେବା ଦଳ ଓ ଉଦ୍ଧାରକାରୀ ଟିମ୍‌ ପଠାଯାଇଥିଲା। କିବ୍‌ ସାମରିକ ପ୍ରଶାସନ ନାଗରିକଙ୍କୁ ଏୟାର୍‌ ରେଡ୍‌ ସାଇରନ୍‌ ବାଜିବା ମାତ୍ରେ ନିକଟସ୍ଥ ସୁରକ୍ଷିତ ସ୍ଥାନକୁ ଯିବାକୁ ଅନୁରୋଧ କରିଛି। ସେହିପରି ଆଗାମୀ ସମୟରେ ଆହୁରି କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଆକ୍ରମଣର ଆଶଙ୍କା ଥିବାରୁ ସାରା ଦେଶରେ ସତର୍କତା ଜାରି ରହିଛି।

ପ୍ରାଥମିକ ତଥ୍ୟ ଅନୁସାରେ, ଆକ୍ରମଣରେ କେତେକ ଆବାସିକ ଭବନ ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। କିଛି ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ଦମକଳ ବାହିନୀ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ତେବେ ଏହି ଆକ୍ରମଣରେ କେତେ ଜଣ ମୃତ କିମ୍ବା ଆହତ ହୋଇଛନ୍ତି, ସେନେଇ ଏପର୍ଯ୍ୟନ୍ତ ସରକାରୀ ଭାବେ ସ୍ପଷ୍ଟ ସୂଚନା ପ୍ରକାଶ ପାଇନାହିଁ। ଅନ୍ୟପଟେ, ଏହି ଆକ୍ରମଣ ସମ୍ପର୍କରେ ରୁଷ୍‌ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।