ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ, ସଂଘର୍ଷ ଓ ଅଶାନ୍ତିର ପରିବେଶ ଜାରି ରହିଥିବା ବେଳେ ସାଂସ୍କୃତିକ ସମ୍ପର୍କ ହିଁ ବିଶ୍ୱଶାନ୍ତିର ସବୁଠୁ ବଡ଼ ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶ ଦେଶ ମଧ୍ୟରେ ସଭ୍ୟତାଗତ ସମ୍ପର୍କ, ପାରସ୍ପରିକ ବୁଝାମଣା ଓ ସାଂସ୍କୃତିକ ଆଦାନପ୍ରଦାନ ବୃଦ୍ଧି ପାଇଲେ ବିଶ୍ୱରେ ଏକତା ଓ ଶାନ୍ତିର ନୂଆ ପରିବେଶ ସୃଷ୍ଟି ହୋଇପାରିବ। ଶୁକ୍ରବାର ନୂଆଦିଲ୍ଲୀର ଐତିହାସିକ ପୁରାଣା କିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ସଭ୍ୟତା ସଂଳାପ ମଞ୍ଚ ଉଦ୍‌ଘାଟନ କରି ମୋଦୀ ଏହି ମତ ରଖିଛନ୍ତି।

ସେ କହିଛନ୍ତି, ସାମ୍ରାଜ୍ୟଗୁଡ଼ିକ ବିଶ୍ୱର ମାନଚିତ୍ର ବଦଳାଇଥାଇପାରନ୍ତି, କିନ୍ତୁ ସଭ୍ୟତାଗତ ସଂଳାପ ବିଶ୍ୱର ଚିନ୍ତାଧାରାକୁ ପରିବର୍ତ୍ତନ କରିବା ସହ ତାହାକୁ ସମୃଦ୍ଧ କରିଛି। ତେଣୁ ଏସ୍‌ସିଓ ସଭ୍ୟତା ସଂଳାପ ମଞ୍ଚ କେବଳ ଏକ ଔପଚାରିକ କାର୍ଯ୍ୟକ୍ରମ ହୋଇ ରହିବା ଉଚିତ ନୁହେଁ, ବରଂ ବିଶ୍ୱକୁ ନୂଆ ଦିଗ ଦେଖାଇବାର ଏକ ମଞ୍ଚ ହୋଇପାରିବ।

‘ବସୁଧୈବ କୁଟୁମ୍ବକମ୍‌’ ଭାରତୀୟ ସଂସ୍କୃତିର ମୂଳମନ୍ତ୍ର

ଭାରତୀୟ ସଂସ୍କୃତିର ମୂଳ ଦର୍ଶନ ‘ବସୁଧୈବ କୁଟୁମ୍ବକମ୍‌’ ଅର୍ଥାତ୍‌ ସମଗ୍ର ବିଶ୍ୱ ଗୋଟିଏ ପରିବାର ବୋଲି ଉଲ୍ଲେଖ କରି ମୋଦୀ କହିଥିଲେ, ନିଜର ମଙ୍ଗଳ ସହ ସମଗ୍ର ମାନବଜାତିର ମଙ୍ଗଳ ଜଡ଼ିତ। ପାରସ୍ପରିକ ସଦ୍‌ଭାବ ଓ ସହଯୋଗ ହିଁ ବିଶ୍ୱର ସାମୂହିକ କଲ୍ୟାଣର ଆଧାର।

ଏସ୍‌ସିଓ ଗଠନର ୨୫ ବର୍ଷ ପୂର୍ତ୍ତି ଅବସରରେ ସଂଗଠନର ସଦସ୍ୟ ଦେଶଗୁଡ଼ିକ ସୁରକ୍ଷା, ଅର୍ଥନୀତି ଓ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ସହଯୋଗ କରିଛନ୍ତି। ଏବେ ସାଂସ୍କୃତିକ ଓ ସଭ୍ୟତାଗତ ସହଯୋଗ ଏହି ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ପ୍ରାଚୀନ ବାଣିଜ୍ୟ ପଥ ଯୋଡ଼ିଥିଲା ଭାରତକୁ ବିଶ୍ୱ ସହ

ଭାରତର ପ୍ରାଚୀନ ସଭ୍ୟତା ଓ ଅନ୍ୟ ଦେଶଗୁଡ଼ିକ ସହ ଐତିହାସିକ ସମ୍ପର୍କର ଉଦାହରଣ ଦେଇ ମୋଦୀ କହିଥିଲେ, ପ୍ରାୟ ୫ ହଜାର ବର୍ଷ ପୂର୍ବେ ସିନ୍ଧୁ ସଭ୍ୟତା ଓ ମେସୋପଟାମିଆ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ରହିଥିଲା। ପରବର୍ତ୍ତୀ ସମୟରେ ପ୍ରାଚୀନ ବାଣିଜ୍ୟ ପଥ ଭାରତ, ଚୀନ୍‌, ମଧ୍ୟ ଏସିଆ ଓ ୟୁରେସିଆର ବିଭିନ୍ନ ଅଞ୍ଚଳକୁ ଯୋଡ଼ିଥିଲା।

ଏହି ପଥ ଦେଇ ବ୍ୟବସାୟୀଙ୍କ ସହ ପର୍ଯ୍ୟଟକ, ବିଦ୍ୱାନ ଓ ବୌଦ୍ଧ ଭିକ୍ଷୁମାନେ ଯାତ୍ରା କରୁଥିଲେ। ଫଳରେ ବିଭିନ୍ନ ଦେଶ ମଧ୍ୟରେ ଭାଷା, ଜ୍ଞାନ, ଚିନ୍ତାଧାରା ଓ ପରମ୍ପରାର ଆଦାନପ୍ରଦାନ ସମ୍ଭବ ହୋଇଥିଲା। ଏହି ପରମ୍ପରାକୁ ଆଗକୁ ବଢ଼ାଇବାରେ ସଭ୍ୟତାଗତ ସଂଳାପର ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ।

ଐତିହ୍ୟ ସଂରକ୍ଷଣରେ ଏଆଇର ଉପଯୋଗ ଉପରେ ଗୁରୁତ୍ୱ

ଆଧୁନିକ ଜ୍ଞାନକୌଶଳ ସାଂସ୍କୃତିକ ସମ୍ପର୍କକୁ ନୂଆ ଗତି ଦେଇଛି। ପୂର୍ବରୁ ଯେଉଁ ଦେଶକୁ ପହଞ୍ଚିବା ପାଇଁ ମାସ ମାସ ସମୟ ଲାଗୁଥିଲା, ଆଜି ଡିଜିଟାଲ୍‌ ମାଧ୍ୟମରେ ସେଠାକାର ଲୋକଙ୍କ ସହ କେଇ ସେକେଣ୍ଡରେ ଯୋଡ଼ି ହେବା ସମ୍ଭବ। ତେଣୁ ଏସ୍‌ସିଓ ଦେଶଗୁଡ଼ିକ ଏହି ସୁଯୋଗର ସଦୁପଯୋଗ କରିବା ଆବଶ୍ୟକ ବୋଲି ମୋଦୀ ଆହ୍ୱାନ ଦେଇଥିଲେ।

ବିଭିନ୍ନ ଦେଶର ସଂଗ୍ରହାଳୟ, ପାଠାଗାର ଓ ଅଭିଲେଖାଗାରରେ ରହିଥିବା ପ୍ରାଚୀନ ପାଣ୍ଡୁଲିପି, ଦୁର୍ଲଭ ପୁସ୍ତକ, ଐତିହାସିକ ଦସ୍ତାବିଜ୍‌ ଓ ପ୍ରତ୍ନତାତ୍ତ୍ୱିକ ସାମଗ୍ରୀର ଡିଜିଟାଇଜେସନ୍‌ ପାଇଁ ସେ ପ୍ରସ୍ତାବ ଦେଇଥିଲେ। ଏହା ସହିତ ପ୍ରାଚୀନ ଗ୍ରନ୍ଥଗୁଡ଼ିକର ଅନୁବାଦ ଓ ମିଳିତ ଗବେଷଣା ମାଧ୍ୟମରେ ସାଧାରଣ ଐତିହ୍ୟର ନୂଆ ଦିଗ ଉନ୍ମୋଚନ କରିବାକୁ ସେ କହିଥିଲେ।

ଅନେକ ମୂଲ୍ୟବାନ ସାହିତ୍ୟ ଓ ଜ୍ଞାନଭଣ୍ଡାର ଏବେ ବି ସୀମିତ ଭାଷାରେ ଉପଲବ୍ଧ ଥିବାରୁ କୃତ୍ରିମ ବୁଦ୍ଧିମତ୍ତା (AI) ସହାୟତାରେ ସେଗୁଡ଼ିକର ଅନୁବାଦକୁ ତ୍ୱରାନ୍ୱିତ କରାଯାଇପାରିବ ବୋଲି ମୋଦୀ ମତ ଦେଇଥିଲେ।

ତିନି ଦିନ ଧରି ଚାଲିବ ସାଂସ୍କୃତିକ ସଂଳାପ

ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଏହି ତିନିଦିନିଆ ମଞ୍ଚ ଆୟୋଜିତ ହେଉଛି। ଏଥିରେ ଏସ୍‌ସିଓ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧି, ବିଦ୍ୱାନ, ଗବେଷକ, କଳାକାର ଓ ସାଂସ୍କୃତିକ ବିଶେଷଜ୍ଞମାନେ ଯୋଗଦେଉଛନ୍ତି। ପାକିସ୍ତାନ ସମେତ ସମସ୍ତ ସଦସ୍ୟ ଦେଶକୁ ଏହି ବହୁପାକ୍ଷିକ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି।

ଏହି ମଞ୍ଚରେ ସଙ୍ଗୀତ, ନୃତ୍ୟ, ପାରମ୍ପରିକ ପୋଷାକ, ଖାଦ୍ୟ, କଳା, ସ୍ଥାପତ୍ୟ, ଭାଷା, ସାହିତ୍ୟ ଓ ବୌଦ୍ଧ ଦର୍ଶନ ଭଳି ବିଭିନ୍ନ ବିଷୟରେ ଆଲୋଚନା ହେବ। ଏହା ସହିତ ସଂଗ୍ରହାଳୟ ମଧ୍ୟରେ ସହଯୋଗ, ଗବେଷକଙ୍କ ଆଦାନପ୍ରଦାନ, ଐତିହ୍ୟ ପର୍ଯ୍ୟଟନ ଓ ମିଳିତ ସାଂସ୍କୃତିକ ଉତ୍ସବ ଆୟୋଜନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

ପ୍ରଧାନମନ୍ତ୍ରୀ ଏହି ମଞ୍ଚରେ ‘ଆସ୍ତିତ୍ୱ’ ନାମକ ପ୍ରଦର୍ଶନୀର ମଧ୍ୟ ଉଦ୍‌ଘାଟନ କରିଥିଲେ। ଏଥିରେ ଖ୍ରୀଷ୍ଟପୂର୍ବ ୧୨୦୦ରୁ ଖ୍ରୀଷ୍ଟାବ୍ଦ ୧୨୦୦ ପର୍ଯ୍ୟନ୍ତ ଦିଲ୍ଲୀର ଐତିହାସିକ ବିକାଶକୁ ପ୍ରତ୍ନତାତ୍ତ୍ୱିକ ତଥ୍ୟ ଓ ସାମଗ୍ରୀ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୫ରେ ଚୀନ୍‌ର ତିଆନଜିନ୍‌ଠାରେ ଅନୁଷ୍ଠିତ ଏସ୍‌ସିଓ ଶିଖର ସମ୍ମିଳନୀରେ ମୋଦୀ ଏହି ସଭ୍ୟତାଗତ ସଂଳାପ ମଞ୍ଚ ଗଠନର ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହାକୁ ଏସ୍‌ସିଓର ବିଷ୍କେକ୍‌ ଘୋଷଣାନାମାରେ ସ୍ୱାଗତ କରାଯାଇଥିଲା।