ଶ୍ରୀନଗର: ଜମ୍ମୁ-କାଶ୍ମୀରର ଉଚ୍ଚ ପାର୍ବତ୍ୟାଞ୍ଚଳରେ ଚଳିତ ଋତୁର ପ୍ରଥମ ତୁଷାରପାତ ଆରମ୍ଭ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଉପତ୍ୟକାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବରଫପାତ ହୋଇଥିବା ବେଳେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ପାଣିପାଗ ଖରାପ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୁଲମାର୍ଗ ସମେତ ଜୋଜିଲା ପାସ୍, ରାଜଦାନ ପାସ୍ ଏବଂ ସିନ୍ଥନ ଟପ୍ ଭଳି ପ୍ରମୁଖ ପାର୍ବତ୍ୟାଞ୍ଚଳରେ ଚଳିତ ଋତୁର ପ୍ରଥମ ବରଫପାତ ଦେଖିବାକୁ ମିଳିଛି। ମଙ୍ଗଳବାର ଗୁଲମାର୍ଗରେ ବରଫପାତ ହେବା ପରେ ସେଠାରେ ଉପସ୍ଥିତ ପର୍ଯ୍ୟଟକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା। ବରଫର ସଫେଦ ଚାଦରରେ ଆଚ୍ଛାଦିତ ହୋଇଥିବା ପାହାଡ଼ଗୁଡ଼ିକ ମଧ୍ୟରେ ପର୍ଯ୍ୟଟକମାନେ ବରଫ ସହ ଖେଳିବା ଏବଂ ନାଚି ଗାଇ ଆନନ୍ଦ ନେଉଥିବାର ନଜର ଆସିଛନ୍ତି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ବର୍ଷା ଓ ବରଫପାତ ହେବାର ସମ୍ଭାବନା ରହିଛି। ତେବେ ଅକ୍ଟୋବର ୧୫ ତାରିଖ ଅପରାହ୍ନରୁ ପାଣିପାଗରେ ସୁଧାର ଆସିବ ଏବଂ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରରେ ମୁଖ୍ୟତଃ ଶୁଷ୍କ ପାଣିପାଗ ରହିବ।
ଉଚ୍ଚ ପାହାଡ଼ରେ ବରଫପାତ ଏବଂ ସମତଳ ଅଞ୍ଚଳରେ ବର୍ଷା ଯୋଗୁଁ ତାପମାତ୍ରାରେ ପ୍ରବଳ ହ୍ରାସ ଘଟିଛି। ମଙ୍ଗଳବାର ଶ୍ରୀନଗରରେ ସର୍ବାଧିକ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସକୁ ଖସି ଆସିଥିବା ବେଳେ ପହଲଗାମରେ ୧୪.୨ ଡିଗ୍ରୀ ଏବଂ ଗୁଲମାର୍ଗରେ ୧୧.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। କ୍ରମାଗତ ଥଣ୍ଡା ବୃଦ୍ଧି ପାଉଥିବାରୁ ସ୍ଥାନୀୟ କାଶ୍ମୀରୀ ଲୋକମାନେ ଶୀତବସ୍ତ୍ର ଏବଂ ସେମାନଙ୍କର ପାରମ୍ପରିକ ପୋଷାକ ‘ଫିରେନ୍’ ପିନ୍ଧିବା ଆରମ୍ଭ କରିଦେଇଛନ୍ତି।
ଅକ୍ଟୋବର ୧୫ ପର୍ଯ୍ୟନ୍ତ ବଜ୍ରପାତ, ପବନ, ବର୍ଷା ଏବଂ ବରଫପାତର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ କୃଷକ ଓ ଆପଲ୍ ଚାଷୀଙ୍କୁ କଟାଯାଇଥିବା ଫସଲ ଏବଂ ସଂଗୃହିତ ସେଓକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି।
ଉପତ୍ୟକାରେ ଧାନ ଅମଳ କାର୍ଯ୍ୟ ସରିସାରିଥିବା ବେଳେ ପ୍ରାୟ ୯୦ ପ୍ରତିଶତ ସେଓ ସଂଗ୍ରହ ହୋଇସାରିଛି। ଚାଷୀମାନେ ବର୍ତ୍ତମାନ ରାବି ଫସଲ (ଯେପରିକି ସୋରିଷ ଓ ତୈଳବୀଜ) ବୁଣିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହି ବର୍ଷା ସେମାନଙ୍କ ପାଇଁ ସହାୟକ ହେବ। ଏହାସହ, ପର୍ଯ୍ୟଟକ ଓ ଯାତ୍ରୀମାନଙ୍କୁ ସାବଧାନତା ଅବଲମ୍ବନ କରିବାକୁ ଏବଂ ପାଣିପାଗ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଟ୍ରେକର୍ସମାନଙ୍କୁ ପାହାଡ଼ ଚଢ଼ାରୁ ଦୂରେଇ ରହିବାକୁ କୁହାଯାଇଛି।
ଉଚ୍ଚ ପାହାଡ଼ରେ ନୂତନ ତୁଷାରପାତ ଯୋଗୁଁ ଆଗାମୀ ଶୀତଦିନ ପାଇଁ ଝରଣା, ପାର୍ବତ୍ୟ ନଦୀ, ହ୍ରଦ ଏବଂ କୂଅଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।




