ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ସିଦ୍ଧାର୍ଥ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ବୁଧବାର ଏକ ଜୀବନରୁ ମାରିଦେବାକୁ ଧମକ ମିଳିଛି। କଲେଜ ଗେଟ୍ ନିକଟରେ ଏକାଧିକ ଧଳା କପଡ଼ାରେ ଲେଖାଯାଇଥିବା ଏକ ଭୟଜନକ ଧମକପୂର୍ଣ୍ଣ ବାର୍ତ୍ତା ମିଳିବା ପରେ ଶିକ୍ଷାନୁଷ୍ଠାନ ଏବଂ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଆସୋକାଳୀନ ଭାବେ ଗୁରୁବାର ଅନୁଷ୍ଠିତ ହେବାକୁଥିବା ଛାତ୍ରସଂସଦ ନିର୍ବାଚନ ପାଇଁ କ୍ୟାମ୍ପସରେ ପ୍ରଚାର ପ୍ରସାର ଜୋରସୋରରେ ଚାଲିଛି। ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ସମର୍ଥନ ହାସଲ କରିବା ପାଇଁ ସବୁପ୍ରକାର ପ୍ରୟାସ କରୁଛନ୍ତି। ଠିକ୍ ଏହି ସମୟରେ ଏଭଳି ଏକ ଅଘଟଣ ସାମ୍ନାକୁ ଆସିଛି।
କଲେଜ ଗେଟ୍ ପାଖରେ ମିଳିଥିବା କପଡ଼ାରେ ଅଧ୍ୟକ୍ଷଙ୍କୁ ଉଦ୍ଦେଶ୍ୟ କରି ଲେଖାଯାଇଥିଲା ଯେ, “ଅଧ୍ୟକ୍ଷ ମହୋଦୟ, ଆପଣ ଛାତ୍ରସଂସଦ ନିର୍ବାଚନରେ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ସମର୍ଥନ କରୁଛନ୍ତି। ନିର୍ବାଚନରୁ ଦୂରେଇ ରୁହନ୍ତୁ, ନଚେତ୍ ଆପଣଙ୍କୁ ଜୀବନରୁ ମାରିଦିଆଯିବ।” ଏହି ଧମକପୂର୍ଣ୍ଣ ବାର୍ତ୍ତା ସାମ୍ନାକୁ ଆସିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କଲେଜ ଗେଟ୍ ପାଖରେ କପଡ଼ା ଟାଙ୍ଗି କିମ୍ବା ରଖି ଏଭଳି ଧମକ ଦେଇଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି।
ଛାତ୍ରସଂସଦ ନିର୍ବାଚନକୁ କେନ୍ଦ୍ର କରି କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ପକ୍ଷରୁ କଲେଜ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ସମ୍ବନ୍ଧରେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।




