ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବରରେ ବାଂଲାଦେଶ ଫେରିବାକୁ ଦୃଢ଼ ସଂକଳ୍ପ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଗିରଫ, ନିର୍ଯାତନା ଏପରିକି ମୃତ୍ୟୁର ଆଶଙ୍କା ଥିଲେ ମଧ୍ୟ ସେ ନିଜ ଦେଶକୁ ଫେରିବେ ବୋଲି କହିଛନ୍ତି। ଭାରତରେ ରହି ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଯୋଗଦେଇ ହସିନା ଏହି ମନ୍ତବ୍ୟ ଦେଇଛନ୍ତି।
ହସିନା କହିଛନ୍ତି, ବାଂଲାଦେଶ ଫେରିଲେ ତାଙ୍କୁ ଗିରଫ କରାଯାଇପାରେ, ଜେଲ୍ରେ ରଖାଯାଇପାରେ କିମ୍ବା ତାଙ୍କ ଜୀବନ ପ୍ରତି ବିପଦ ଦେଖାଦେଇପାରେ। ତଥାପି ଏହି ଆଶଙ୍କା ତାଙ୍କୁ ଫେରିବାରୁ ରୋକିପାରିବ ନାହିଁ। ନିଜ ଦେଶ ଓ ସମର୍ଥକଙ୍କ ପାଖକୁ ଫେରିବା ତାଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି। ତେବେ ଫେରିବାର ନିର୍ଦ୍ଦିଷ୍ଟ ତାରିଖ ସେ ଘୋଷଣା କରିନାହାନ୍ତି।
୨୦୨୪ ଅଗଷ୍ଟରେ ଛାତ୍ର ଆନ୍ଦୋଳନ ଓ ବ୍ୟାପକ ବିକ୍ଷୋଭ ପରେ ହସିନାଙ୍କ ୧୫ ବର୍ଷର ଶାସନର ଅନ୍ତ ଘଟିଥିଲା। ଏହାପରେ ସେ ବାଂଲାଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଥିଲେ। ସେବେଠାରୁ ସେ ଭାରତରେ ରହୁଛନ୍ତି।
୨୦୨୪ର ଆନ୍ଦୋଳନ ସମୟରେ ହୋଇଥିବା ଦମନଲୀଳା ସମ୍ପର୍କିତ ମାନବତା ବିରୋଧୀ ଅପରାଧ ମାମଲାରେ ବାଂଲାଦେଶର ଏକ ଟ୍ରିବ୍ୟୁନାଲ୍ ତାଙ୍କୁ ତାଙ୍କ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ଶୁଣାଇଛି। ହସିନା ଏହି ମାମଲା ଓ ନ୍ୟାୟିକ ପ୍ରକ୍ରିୟାର ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ, ବାଂଲାଦେଶ ସରକାର ତାଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ଭାରତ ଉପରେ ଚାପ ପକାଇଆସୁଛନ୍ତି।
ହସିନା ନିଜ ଦେଶକୁ ଫେରି ଗଣତନ୍ତ୍ର, ନ୍ୟାୟ ଓ ଜାତୀୟ ସମନ୍ୱୟ ପ୍ରତିଷ୍ଠା ପାଇଁ କାମ କରିବାକୁ ଚାହୁଁଥିବା କହିଛନ୍ତି। ଏଥିସହ ତାଙ୍କ ଦଳ ଆୱାମୀ ଲିଗ୍ ଉପରେ ଲାଗିଥିବା ନିଷେଧାଜ୍ଞା ହଟାଇବା ଏବଂ ରାଜନୈତିକ ଅଧିକାର ସୁରକ୍ଷିତ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।




