ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାର ଜିଲ୍ଲାସ୍ଥିତ ବିବାଦୀୟ ଭୋଜଶାଳା ପରିସର ନିକଟରେ ଶୁକ୍ରବାର ନମାଜ ପାଇଁ ବିକଳ୍ପ ସ୍ଥାନ ଯୋଗାଇବା ପ୍ରସଙ୍ଗରେ ଦାଖଲ ହୋଇଥିବା ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ମାମଲାରେ ମଧ୍ୟପ୍ରଦେଶ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିବା ସହ ଆସନ୍ତା ଶୁକ୍ରବାର ପୁଣିଥରେ ଶୁଣାଣି କରାଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ବିଚାରପତି ଭି. ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ରାଜ୍ୟ ସରକାରଙ୍କଠାରୁ ନିର୍ଦ୍ଦେଶ ନେଇ ଭୋଜଶାଳା ପରିସର ନିକଟରେ ନମାଜ ପାଇଁ ଉପଯୁକ୍ତ ବିକଳ୍ପ ସ୍ଥାନ ଯୋଗାଇବା ସମ୍ଭବ କି ନାହିଁ, ସେନେଇ ସୂଚନା ଦେବାକୁ କହିଛନ୍ତି।

ମୁସଲିମ ପକ୍ଷର ବରିଷ୍ଠ ଆଇନଜୀବୀ ହୁଜେଫା ଅହମଦୀ ଅଦାଲତରେ ଦର୍ଶାଇଥିଲେ ଯେ, ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଭୋଜଶାଳା ପରିସର ନିକଟରେ ଖୋଲା ସ୍ଥାନ ଯୋଗାଇବାକୁ କୁହାଯାଇଥିଲା। କିନ୍ତୁ ରାଜ୍ୟ ପ୍ରଶାସନ ଚିହ୍ନଟ କରିଥିବା ସ୍ଥାନଟି ପ୍ରାୟ ୨ କିଲୋମିଟର ଦୂରରେ ଥିବାରୁ ମୁସଲିମ ସମ୍ପ୍ରଦାୟ ଶୁକ୍ରବାର ନମାଜ ଆଦାୟ କରିପାରୁନଥିବା ବୋଲି ସେ ଅଭିଯୋଗ କରିଥିଲେ।

ଏହାର ଜବାବରେ ମଧ୍ୟପ୍ରଦେଶ ସରକାର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ବିକଳ୍ପ ସ୍ଥାନଟି ଭୋଜଶାଳାଠାରୁ ପ୍ରାୟ ୯୦୦ ମିଟର ଦୂରରେ ରହିଛି। ସେ ବ୍ୟକ୍ତିଗତ ଭାବେ ପ୍ରସଙ୍ଗର ଯାଞ୍ଚ କରିବେ ଏବଂ କୌଣସି ତ୍ରୁଟି ଥିଲେ ତାହାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ଅଦାଲତଙ୍କୁ ଆଶ୍ୱାସନ ଦେଇଥିଲେ।

ଶୁଣାଣି ବେଳେ ବିଚାରପତି ଜୟମାଲ୍ୟ ବାଗ୍‌ଚୀ କହିଥିଲେ ଯେ, ସୁପ୍ରିମକୋର୍ଟଙ୍କ ପୂର୍ବ ଆଦେଶକୁ କେବଳ ଔପଚାରିକ ଭାବେ ନୁହେଁ, ବରଂ ଏହାର ପ୍ରକୃତ ଉଦ୍ଦେଶ୍ୟ ଅନୁଯାୟୀ ପାଳନ କରିବା ଆବଶ୍ୟକ।

ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ଖଣ୍ଡପୀଠ ଗତ ମେ ୧୫ରେ ଦେଇଥିବା ରାୟରେ ଭୋଜଶାଳା ପରିସରକୁ ଦେବୀ ବାଗ୍‌ଦେବୀଙ୍କ ମନ୍ଦିର ଓ ସଂସ୍କୃତ ଶିକ୍ଷାକେନ୍ଦ୍ର ଭାବେ ଘୋଷଣା କରିବା ସହ ୨୦୦୩ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଜାରି କରିଥିବା ମଙ୍ଗଳବାର ପୂଜା ଓ ଶୁକ୍ରବାର ନମାଜ ସମ୍ପର୍କିତ ଆଦେଶକୁ ରଦ୍ଦ କରିଥିଲେ। ଏହି ରାୟକୁ ମୁସଲିମ ପକ୍ଷ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

ଜୁଲାଇ ୧୪ରେ ସୁପ୍ରିମକୋର୍ଟ ଅନ୍ତର୍ବର୍ତ୍ତୀ ଆଦେଶରେ ଚୂଡ଼ାନ୍ତ ରାୟ ନଆସିବା ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାର ଅପରାହ୍ନ ୧ଟାରୁ ୩ଟା ମଧ୍ୟରେ ନମାଜ ପାଇଁ ବିବାଦୀୟ ପରିସର ନିକଟରେ ପୃଥକ ଖୋଲା ସ୍ଥାନ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଆଦେଶର କାର୍ଯ୍ୟକାରିତାକୁ ନେଇ ଉଠିଥିବା ଅଭିଯୋଗ ଉପରେ ଆସନ୍ତା ଶୁକ୍ରବାର ପୁଣି ଶୁଣାଣି ହେବ।