ନୂଆଦିଲ୍ଲୀ: ପୂର୍ବତନ ମଡେଲ୍ ତଥା ଅଭିନେତ୍ରୀ ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ଶୁକ୍ରବାର ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ମଧ୍ୟପ୍ରଦେଶର ଭୋପାଳ ଅଦାଲତରେ ଚାଲିଥିବା ଏହି ମାମଲାର ବିଚାର ପ୍ରକ୍ରିୟା ଉପରେ ସର୍ବୋଚ୍ଚ ଅଦାଲତ ସ୍ଥଗିତାଦେଶ ଜାରି କରିଛନ୍ତି। ଏହାସହ ଏହି ମାମଲାକୁ ମଧ୍ୟପ୍ରଦେଶ ବାହାରକୁ, ବିଶେଷ କରି ନୂଆଦିଲ୍ଲୀ ସ୍ଥାନାନ୍ତର କରିବା ଆବେଦନ ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ, ଟ୍ୱିଶାଙ୍କ ସ୍ୱାମୀ ସମର୍ଥ ସିଂହ ଏବଂ ଶାଶୂ ଗିରିବାଲା ସିଂହଙ୍କୁ ନୋଟିସ୍ ଜାରି କରିଛନ୍ତି।

ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍‌ଚୀଙ୍କୁ ନେଇ ଗଠିତ ବେଞ୍ଚ ଟ୍ୱିଶାଙ୍କ ପିତା ନବନିଧି ଶର୍ମାଙ୍କ ଦ୍ୱାରା ଦାଖଲ ହୋଇଥିବା ସ୍ଥାନାନ୍ତର ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ସିନିୟର ଆଡଭୋକେଟ୍ ଅଭିଜିତ୍ ସିହ୍ନା କୋର୍ଟଙ୍କୁ ଜଣାଇଥିଲେ ଯେ, ଟ୍ୱିଶାଙ୍କ ଶାଶୂ ଗିରିବାଲା ସିଂହ ଜଣେ ପୂର୍ବତନ ପ୍ରିନ୍ସିପାଲ୍ ଡିଷ୍ଟ୍ରିକ୍ଟ ଏବଂ ସେସନ୍ସ ଜଜ୍‌। ସେ ଭୋପାଳରେ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ମଧ୍ୟପ୍ରଦେଶରେ ନିରପେକ୍ଷ ବିଚାର ହେବା ନେଇ ଗଭୀର ଆଶଙ୍କା ରହିଛି।

ସୂଚନାଯୋଗ୍ୟ, ୨୦୨୬ ମସିହା ମେ ୧୨ ତାରିଖରେ ବାହାଘରର ମାତ୍ର ୫ ମାସ ପରେ ଭୋପାଳସ୍ଥିତ ଶାଶୂଘରେ ଟ୍ୱିଶାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଓକିଲ ସ୍ୱାମୀ ସମର୍ଥ ସିଂହ ଏବଂ ଶାଶୂ ଗିରିବାଲା ସିଂହଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ଆତ୍ମହତ୍ୟା ଉଦ୍ଦୀପନା ଆଦି ଅଭିଯୋଗ ରହିଛି।

ଗତ ମେ ୨୫ରେ ସୁପ୍ରିମ୍ କୋର୍ଟ ଏହି ମାମଲାରେ ସୁଓ-ମୋଟୋ ସଂଜ୍ଞାନ ନେଇ ସିବିଆଇକୁ ତଦନ୍ତ ଭାର ଦେଇଥିଲେ। ଗତ ଅଗଷ୍ଟ ୧୪ରେ ସିବିଆଇ ୬୩୬ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିସାରିଛି। ଆବେଦନକାରୀ ଦର୍ଶାଇଛନ୍ତି ଯେ:

  • ଦ୍ୱିତୀୟ ପୋଷ୍ଟମୋର୍ଟମ୍ ଦିଲ୍ଲୀ ଏମ୍ସ ର ମେଡିକାଲ୍ ବୋର୍ଡ ଦ୍ୱାରା କରାଯାଇଛି।
  • ଫୋରେନ୍ସିକ୍ ରିପୋର୍ଟ ଦିଲ୍ଲୀ CFSL ରୁ ପ୍ରକାଶ ପାଇଛି।
  • ତଦନ୍ତକାରୀ ଅଫିସର ଏବଂ ପ୍ରମୁଖ ସାକ୍ଷୀମାନେ ଦିଲ୍ଲୀ-ଏନ୍‌ସିଆର୍‌ ରେ ରହୁଛନ୍ତି, ତେଣୁ ବିଚାର ପ୍ରକ୍ରିୟାକୁ ଦିଲ୍ଲୀ ସ୍ଥାନାନ୍ତର କରାଯାଉ।