କିଭ୍/ମସ୍କୋ: ୟୁକ୍ରେନ୍ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଦୀର୍ଘଦିନର ଯୁଦ୍ଧରେ ଏକ ବଡ଼ ସମାଧାନର ଆଶା ଦେଖାଦେଇଛି। ରୁଷିଆର ମସ୍କୋ ସମେତ ଆଲୋଚନା ପ୍ରକ୍ରିୟାରେ ସାମିଲ ଥିବା ସହରଗୁଡ଼ିକ ଉପରେ ଆକାଶମାର୍ଗରୁ ଆକ୍ରମଣ ନକରିବା ପାଇଁ ୟୁକ୍ରେନ୍ ପ୍ରସ୍ତୁତ ବୋଲି ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଘୋଷଣା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶେଷ ଦୂତ ଷ୍ଟିଭ୍ ୱିଟକଫ୍ ଏବଂ ଜେରେଡ୍ କୁଶନରଙ୍କ ସହ ଫୋନ୍‌ରେ କଥା ହେବା ପରେ ଜେଲେନସ୍କି ‘X’ (ପୂର୍ବରୁ ଟ୍ୱିଟର) ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ୟୁକ୍ରେନ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଥିବା ବେଳେ ରୁଷିଆ ମଧ୍ୟ କିଭ୍ ପ୍ରତି ସମାନ ମନୋଭାବ ଦେଖାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଅନ୍ୟପଟେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମସ୍କୋଠାରେ ଆମେରିକାର ଦୂତ ଷ୍ଟିଭ୍ ୱିଟକଫ୍ ଏବଂ ଜେରେଡ୍ କୁଶନରଙ୍କ ସହ ପ୍ରାୟ ୩ ଘଣ୍ଟା ୧୦ ମିନିଟ୍ ଧରି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବୈଠକ କରିଛନ୍ତି। କ୍ରେମଲିନ୍ ସହାୟକ ୟୁରୀ ଉଷାକୋଭଙ୍କ ସୂଚନା ଅନୁଯାୟୀ, ଏହି ବୈଠକରେ ୟୁକ୍ରେନ୍ ସଙ୍କଟର ରାଜନୈତିକ ଓ କୂଟନୈତିକ ସମାଧାନ ପାଇଁ ରୁଷିଆ ଆମେରିକା ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଜର ସମ୍ମତି ଜଣାଇଛି।

ଏହି ଆଲୋଚନା କେବଳ ୟୁକ୍ରେନ୍ ସମସ୍ୟାରେ ସୀମିତ ନଥିଲା, ବରଂ ରୁଷିଆ ଏବଂ ଆମେରିକା ମଧ୍ୟରେ ଭବିଷ୍ୟତର ଆର୍ଥିକ ସମ୍ପର୍କ ଏବଂ ବୃହତ୍ ଦ୍ୱିପାକ୍ଷିକ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଗଭୀର ଆଲୋଚନା ହୋଇଛି। ଆମେରିକୀୟ ଦୂତଦ୍ୱୟ ରୁଷିଆ ଗସ୍ତ ଶେଷ କରି ରବିବାର କିଭ୍ ଗସ୍ତ କରିବେ ଏବଂ ରାଷ୍ଟ୍ରପତି ପୁଟିନ୍‌ଙ୍କ ବାର୍ତ୍ତା ଜେଲେନସ୍କିଙ୍କୁ ହସ୍ତାନ୍ତର କରିବେ।

ରୁଷିଆ ଦର୍ଶାଇଛି ଯେ ଯୁଦ୍ଧର ମୂଳ କାରଣଗୁଡ଼ିକୁ ସମାଧାନ କରିବା ସହ ଏକ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ଆବଶ୍ୟକ। ଦୁଇ ଦେଶର ରାଷ୍ଟ୍ରପତି ଆଗାମୀ ଦିନରେ ମଧ୍ୟ ସିଧାସଳଖ ଯୋଗାଯୋଗରେ ରହିବେ ବୋଲି ସ୍ପଷ୍ଟ କରାଯାଇଛି। ଆମେରିକାର ମଧ୍ୟସ୍ଥତା ଯୋଗୁଁ ଯୁଦ୍ଧବିରତି ଓ ଶାନ୍ତି ପ୍ରକ୍ରିୟା ଆଗକୁ ବଢ଼ୁଥିବାରୁ ଏହାକୁ ସାରା ବିଶ୍ୱରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି।