କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସନ୍ଦର୍ଭରେ କିଛି ବୁଥରେ ଅନିୟମିତତା ଓ ହିଂସା ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନ ୧୫ଟି ମତଦାନ କେନ୍ଦ୍ରରେ ପୁନଃ ମତଦାନ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପୁନଃ ମତଦାନ ଆସନ୍ତା ମେ ୨ ତାରିଖରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ମଗ୍ରାହାଟ ପଶ୍ଚିମ ବିଧାନସଭା ମଣ୍ଡଳୀର ୧୧ଟି ବୁଥ ଓ ଡାଇମଣ୍ଡ ହାର୍ବର ମଣ୍ଡଳୀର ୪ଟି ବୁଥରେ ଏହି ପୁନଃ ମତଦାନ କରାଯିବ। ସମ୍ପୃକ୍ତ ରିଟର୍ଣ୍ଣିଂ ଅଫିସର ଓ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଏହାସହିତ ନିର୍ବାଚନ କମିଶନ ସମ୍ପୃକ୍ତ ଅଧିକାରୀଙ୍କୁ ପୁନଃ ମତଦାନ ସମ୍ପର୍କରେ ଯଥେଷ୍ଟ ପ୍ରଚାର କରିବାକୁ ଓ ପ୍ରାର୍ଥୀମାନଙ୍କୁ ଲିଖିତ ଭାବେ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୧ ଅନୁଯାୟୀ କିଛି ବୁଥର ଭୋଟକୁ ବାତିଲ କରାଯାଇଥିଲା।

ଉଲ୍ଲେଖନୀୟ, ଦକ୍ଷିଣ ୨୪ ପରଗନା ଜିଲ୍ଲାର ୭୭ଟି ବୁଥରେ ପୁନଃ ମତଦାନ ପାଇଁ ଦାବି ହୋଇଥିଲା, କିନ୍ତୁ କମିଶନ କେବଳ ୧୫ଟି ବୁଥକୁ ମାନ୍ୟତା ଦେଇଛନ୍ତି। ଏପ୍ରିଲ ୨୯ରେ ମତଦାନ ସମୟରେ ବସନ୍ତୀ ଅଞ୍ଚଳରେ ହିଂସା ଘଟଣା ଓ ବିଜେପି ପ୍ରାର୍ଥୀ ବିକାଶ ସର୍ଦ୍ଦାରଙ୍କ ଉପରେ ଆକ୍ରମଣ ଘଟିଥିବା ଅଭିଯୋଗ ଆସିଥିଲା। ତାଙ୍କର ଗାଡ଼ି ଭଙ୍ଗାରୁଜା ହେବା ସହିତ ସେଠାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା।

ସମୁଦାୟ ଘଟଣାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ସ୍ୱଚ୍ଛ ଓ ନିର୍ପେକ୍ଷ ଭୋଟିଂ ପାଇଁ ପୁନଃ ମତଦାନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।