ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଏହି ସିଷ୍ଟମ୍ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକ ସ୍ପଷ୍ଟ ହୋଇ ‘ୱେଲ୍-ମାର୍କଡ୍ ଲଘୁଚାପ’ର ରୂପ ନେବ ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଏକ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ, ବାତ୍ୟା ‘ଅର୍ଣ୍ଣବ’ର ଅବଶିଷ୍ଟାଂଶ ଯାହାକି ଗଭୀର ଅବପାତରୁ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିଲା, ତାହା ବର୍ତ୍ତମାନ ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଅଞ୍ଚଳ ନିକଟରେ କେନ୍ଦ୍ରୀଭୂତ ରହିଛି। ଯଦ୍ୱାରା ବାତ୍ୟାର ପ୍ରଭାବ କ୍ରମଶଃ କମୁଛି, କିନ୍ତୁ ଏହାର ପ୍ରଭାବରେ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି।
ନୂତନ ଲଘୁଚାପ ସୃଷ୍ଟି ହେବା ପରେ ପାଣିପାଗ ବିଭାଗ ପକ୍ଷରୁ ଏହାର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଏହି ସିଷ୍ଟମ୍ କେଉଁ ଦିଗକୁ ଗତି କରିବ ଏବଂ ଏହାର ପ୍ରଭାବ ଓଡ଼ିଶା ଉପରେ କିପରି ରହିବ, ସେନେଇ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ଦିନରେ ଅଧିକ ସୂଚନା ଦିଆଯିବ। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ମଧ୍ୟ ସଜାଗ ରହିଛି।




