ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ‘ଆଙ୍ଗନ ଉତ୍ସବ’ର ସଫଳ ଆୟୋଜନ ପାଇଁ ସୋମବାର ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଉତ୍ସବର ପ୍ରସ୍ତୁତି, ବିଭିନ୍ନ କାର୍ଯ୍ୟକ୍ରମ ଓ ବିଭାଗୀୟ ସମନ୍ୱୟ ନେଇ ସମୀକ୍ଷା କରାଯାଇଛି।
୩ ଦିନ ଧରି ହେବ ଆୟୋଜନ
‘ଆଙ୍ଗନ ଉତ୍ସବ’ ସେପ୍ଟେମ୍ବର ୨୭ରୁ ୨୯ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆୟୋଜିତ ହେବ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଭୂମିକା, ଶିଶୁଙ୍କ ପ୍ରାରମ୍ଭିକ ଯତ୍ନ, ପୋଷଣ, ସ୍ୱାସ୍ଥ୍ୟ ଓ ସମୁଦାୟର ଅଂଶଗ୍ରହଣ ଉପରେ ଏହି ଉତ୍ସବରେ ଗୁରୁତ୍ୱ ଦିଆଯିବ।
ଅଙ୍ଗନବାଡ଼ି କେନ୍ଦ୍ରର ପରିବର୍ତ୍ତନ ଉପରେ ଗୁରୁତ୍ୱ
ବୈଠକରେ ଉପମୁଖ୍ୟମନ୍ତ୍ରୀ ସମସ୍ତ ଅଂଶୀଦାରଙ୍କ ସକ୍ରିୟ ଭାଗୀଦାରି ସୁନିଶ୍ଚିତ କରିବାକୁ ଅଧିକାରୀଙ୍କୁ କହିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ହୋଇଥିବା ପରିବର୍ତ୍ତନ ଏବଂ ଶିଶୁ, ମା’ ଓ ପରିବାରର ସାମଗ୍ରିକ ବିକାଶ ପାଇଁ ଯୋଗାଇ ଦିଆଯାଉଥିବା ସେବାକୁ ଲୋକଙ୍କ ସମ୍ମୁଖରେ ରଖିବାକୁ ସେ ଗୁରୁତ୍ୱ ଦେଇଛନ୍ତି।
ଜିଲ୍ଲାସ୍ତରରେ ସମନ୍ୱୟ ଉପରେ ଜୋର
ଉତ୍ସବରେ ପ୍ରସ୍ତାବିତ କାର୍ଯ୍ୟକ୍ରମ, ବ୍ୟବସ୍ଥା ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ନେଇ ମଧ୍ୟ ସମୀକ୍ଷା କରାଯାଇଛି। ତୃଣମୂଳସ୍ତରରେ କାର୍ଯ୍ୟକ୍ରମର ସଠିକ୍ ରୂପାୟଣ ସହ ଅଧିକ ଜନସମ୍ପୃକ୍ତି ସୁନିଶ୍ଚିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଡ. ମୃଣାଳିନୀ ଦର୍ସୱାଲ, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।




