ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ ଜିଲ୍ଲାର ଆସିକା ସହରରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ବ୍ୟାପକ ଭାବେ କୋରଦାର କରାଯାଇଛି। ସମନ୍ୱିତ ଉଦ୍ୟମ ଫଳରେ ଆସିକାରେ ସ୍ୱାଭାବିକ ସ୍ଥିତି ଫେରୁଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ କୀର୍ତ୍ତି ୱାସନ୍ ଭି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗାର୍ଗ ସ୍ଥିତି ଉପରେ ପ୍ରତ୍ୟକ୍ଷ ନଜର ରଖିଛନ୍ତି ଏବଂ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରୁଛନ୍ତି। ପ୍ରଶାସନ ପକ୍ଷରୁ ସହରରେ ଜରୁରୀ ସେବାଗୁଡ଼ିକୁ ସ୍ୱାଭାବିକ କରିବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି:
ରାସ୍ତାରେ ଅଟକି ରହିଥିବା ଭାରୀ ଯାନବାହାନ ଓ ବସ୍ଗୁଡ଼ିକୁ ହଟାଇ ଦିଆଯାଇଛି, ଯାହାଫଳରେ ରିଲିଫ୍ ଗାଡ଼ିଗୁଡ଼ିକ ବିନା ବାଧାରେ ସହର ଭିତରକୁ ପ୍ରବେଶ କରିପାରୁଛନ୍ତି। ରିଲିଫ୍ ସାମଗ୍ରୀ ବଣ୍ଟନ ପାଇଁ ୨୦ଟି ଅଟୋ ଏବଂ ୧୦ଟି ଟ୍ରାକ୍ଟର ନିୟୋଜିତ ହୋଇଛନ୍ତି।
ସନ୍ଧ୍ୟା ସୁଦ୍ଧା ୧୦ଟି ଟ୍ୟାଙ୍କର ଓ ୩୦,୦୦୦ ପାନୀୟ ଜଳ ବୋତଲ ବଣ୍ଟନ କରାଯାଇଛି। ସକାଳୁ ଜଳ ଯୋଗାଣ ପାଇଁ ଟ୍ୟାଙ୍କର ସଂଖ୍ୟା ୩୦ରୁ ୩୫କୁ ବୃଦ୍ଧି କରାଯାଇଛି। ସହରରେ ଅଧିକ ‘ଆସିକା ଲାଇଟ୍’ ଲଗାଯାଇଛି ଏବଂ ଜରୁରୀ କାର୍ଯ୍ୟ ପାଇଁ ଜାଳେଣି ଗଚ୍ଛିତ ରଖାଯାଇଛି। ଖୁବ୍ଶୀଘ୍ର ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ ବୋଲି ଟିପିଏସ୍ଓଡିଏଲ୍ (TPSODL) ପ୍ରତିଶ୍ରୁତି ଦେଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଦିନସାରା ପର୍ଯ୍ୟାପ୍ତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।
ଜିଲ୍ଲାପାଳ କହିଛନ୍ତି ଯେ, ଆସିକାରେ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ କିମ୍ବା ଅତି କମରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଏହି ରିଲିଫ୍ ଓ ସହାୟତା ବ୍ୟବସ୍ଥା ଜାରି ରହିବ। ଯାତାୟାତ, ଖାଦ୍ୟ ଓ ପାନୀୟ ଜଳ ସୁବିଧା ପରେ ଆସିକାରେ ସ୍ଥିତି ଆହୁରି ସୁଧୁରିବ।




