ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଜଣେ ୨୮ ବର୍ଷୀୟ ଯୁବକ ତଥା କାର୍ ଶୋ’ରୁମ୍ ମାଲିକଙ୍କ ରହସ୍ୟଜନକ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ଏକ ଜଙ୍ଗଲ ମଧ୍ୟରୁ ଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହା ଆତ୍ମହତ୍ୟା ନୁହେଁ ବରଂ ଏକ ଯୋଜନାବଦ୍ଧ ହତ୍ୟା ବୋଲି ପରିବାର ପକ୍ଷରୁ ଦୃଢ଼ ଅଭିଯୋଗ ହୋଇଛି।

ମୃତକ ଜଣକ ହେଲେ ନୀଳଗିରି ବ୍ଲକ୍ ଅନ୍ତର୍ଗତ କାନପୁର ମାହଳ ଗାଁର ଶୁଭମ ଜ୍ୟୋତି ଜେନା। ସେ ବାଲେଶ୍ୱର କୁରୁଡ଼ା ବ୍ରିଜ୍ ନିକଟରେ ଏକ କାର୍ ଶୋ’ରୁମ୍ ପରିଚାଳନା କରୁଥିଲେ।

ପ୍ରାପ୍ତ ସୂଚନା ଅନୁଯାୟୀ, ଶୁଭମ ଗୁରୁବାର ଅପରାହ୍ନ ପ୍ରାୟ ୪ଟା ସମୟରେ ମାଆଙ୍କୁ କପ୍ତିପଦା ଯାଉଛନ୍ତି ଏବଂ ରାତି ସୁଦ୍ଧା ଫେରିବେ ବୋଲି କହି ଘରୁ ବାହାରିଥିଲେ। ମାତ୍ର ସନ୍ଧ୍ୟା ୭:୩୦ ପରେ ତାଙ୍କୁ ଫୋନ୍‌ରେ ଯୋଗାଯୋଗ କରି ନପାରିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଥିଲେ। ଏନେଇ ତାଙ୍କ ପିତା ଭରତ ଜେନା ଗୁରୁବାର ରାତିରେ ନୀଳଗିରି ଥାନାରେ ଏକ ନିଖୋଜ ଏତଲା ଦାଖଲ କରିଥିଲେ।

ଶୁକ୍ରବାର ସକାଳେ ଖୋଜାଖୋଜି ସମୟରେ ବାହାରପୁର ଥାନା ଅନ୍ତର୍ଗତ ତିନିକୋଷିଆ ରାସ୍ତା ନିକଟ ଦେବଜାନୀ ଛକ ପାଖ ଏକ ଜଙ୍ଗଲରେ ଶୁଭମଙ୍କ ମୃତଦେହ ଗଛରୁ ଝୁଲୁଥିବା ଦେଖିବାକୁ ପାଇଥିଲେ ତାଙ୍କ ବାପା। ସେଠାରୁ ଏକ ମୋଟରସାଇକେଲ୍ ମଧ୍ୟ ଜବତ କରାଯାଇଛି।

ମୃତକଙ୍କ ପିତା ଭରତ ଜେନା ଏହାକୁ ଆତ୍ମହତ୍ୟା ଭାବେ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ତାଙ୍କୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଶୁଭମଙ୍କ ସାଙ୍ଗରେ ଦୁଇରୁ ତିନିଜଣ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିବା ସେ ସୂଚନା ପାଇଛନ୍ତି ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଖବର ପାଇ ପୁଲିସ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ପୁଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ଭାବେ ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାରର ଅଭିଯୋଗକୁ ଆଧାର କରି ସବୁ ଦିଗରୁ ତନାଘନା ଜାରି ରଖିଛି।