ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାଠାରେ ଘଟିଥିବା ବହୁଚର୍ଚ୍ଚିତ ଭିଡ଼ହିଂସା ଓ ସୌମ୍ୟରଞ୍ଜନ ସାହୁ ହତ୍ୟା ମାମଲାରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (DGP) ବିନୟତୋଷ ମିଶ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ତଦନ୍ତ ପ୍ରକ୍ରିୟାକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇ ଡିଜିପି ସ୍ପଷ୍ଟ କରିଛନ୍ତି ଯେ, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପେସାଦାର ଢଙ୍ଗରେ ଏହି ସମ୍ବେଦନଶୀଳ ମାମଲାର ତଦନ୍ତ କରୁଛି ଏବଂ ପୋଲିସ ଉପରେ କୌଣସି ବାହ୍ୟ କିମ୍ବା ରାଜନୈତିକ ଚାପ ନାହିଁ।
ସାଇଣ୍ଟିଫିକ୍ ତଦନ୍ତ ଏବଂ ଲାଇ ଡିଟେକ୍ସନ୍ ସମ୍ପର୍କରେ ସୂଚନା ଦେଇ ପୋଲିସ ଡିଜି କହିଛନ୍ତି, “ଯେତେବେଳେ କାହାର ବୟାନ କିମ୍ବା ସାକ୍ଷ୍ୟ ଉପରେ ତଦନ୍ତକାରୀ ଟିମ୍ର ସନ୍ଦେହ ସୃଷ୍ଟି ହୁଏ, ସେତେବେଳେ ହିଁ ଆଇନଗତ ପ୍ରକ୍ରିୟା ଅନୁସାରେ ଲାଇ ଡିଟେକ୍ସନ୍ ଟେଷ୍ଟ କରାଯାଏ। କୌଣସି ବ୍ୟକ୍ତି ଅଭିଯୋଗ ଆଣିଲା ମାତ୍ରେ କିମ୍ବା ପ୍ରଥମରୁ ହିଁ ତାଙ୍କୁ ସନ୍ଦେହ ଆବର୍ତ୍ତକ ମଧ୍ୟକୁ ଆଣି ଲାଇ ଡିଟେକ୍ସନ୍ କରିବା ନିରପେକ୍ଷ ତଦନ୍ତର ମୂଳ ସିଦ୍ଧାନ୍ତ ବିରୁଦ୍ଧ ଅଟେ।”
ଘଟଣାଦିନ ସୌମ୍ୟରଞ୍ଜନଙ୍କ ସହ ଉପସ୍ଥିତ ଥିବା ତାଙ୍କ ସାଙ୍ଗ ଓମ୍ଙ୍କ ଭୂମିକା ଓ ବୟାନକୁ ନେଇ ପ୍ରାରମ୍ଭିକ ସନ୍ଦେହ ଉପୁଜିଥିଲା। ଏହି ସନ୍ଦେହ ଦୂର କରିବା ପାଇଁ ତଦନ୍ତକାରୀ ଟିମ୍ ପକ୍ଷରୁ ଓମ୍ଙ୍କର ପୋଲିଗ୍ରାଫ୍ (ଲାଇ ଡିଟେକ୍ସନ୍) ଟେଷ୍ଟ କରାଯାଇସାରିଛି ବୋଲି ଡିଜିପି ସୂଚନା ଦେଇଛନ୍ତି।
ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ସହ ନିର୍ଦ୍ଦୋଷ ଯେପରି ହଇରାଣ ନହୁଅନ୍ତି, ସେଥିପ୍ରତି କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି। ଖୁବ୍ଶୀଘ୍ର ଏହି ଘଟଣାର ପୂରା ପର୍ଦ୍ଦାଫାଶ କରାଯିବ ବୋଲି ପୋଲିସ ପ୍ରଶାସନ ଆଶ୍ୱାସନା ଦେଇଛି।




