ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର କମାଇବା ଏବଂ ଆହାତମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଜରୁରୀକାଳୀନ ସ୍ଥିତିରେ ଦୁର୍ଘଟଣା ସମ୍ପର୍କରେ ତୁରନ୍ତ ସୂଚନା ପ୍ରଦାନ ପାଇଁ ବିଭାଗ ପକ୍ଷରୁ ‘ଆମ ରାସ୍ତା’ ନାମକ ଏକ ସ୍ୱତନ୍ତ୍ର WhatsApp ଚାଟବଟ୍ ସେବା ଖୁବ୍ଶୀଘ୍ର ଆରମ୍ଭ କରାଯିବ।
୭୨୮୯୯ ୧୧୦୩୩ ନମ୍ବରରେ ଦେଇପାରିବେ ସୂଚନା
ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସାଧାରଣ ନାଗରିକମାନେ କୌଣସି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟିଲେ ‘୭୨୮୯୯ ୧୧୦୩୩’ (72899 11033) WhatsApp ନମ୍ବରରେ ମେସେଜ୍ କରି ସଙ୍ଗେ ସଙ୍ଗେ ସୂଚନା ଦେଇପାରିବେ। ଘଟଣାସ୍ଥଳର ଫଟୋ, ଭିଡିଓ କିମ୍ବା ଲୋକେସନ୍ ପଠାଇବା ଦ୍ୱାରା ଉଦ୍ଧାରକାରୀ ଦଳ ନିକଟରେ ପହଞ୍ଚିବା ସହଜ ହେବ।
ଚାଟବଟ୍ରେ ଦୁର୍ଘଟଣାର ସୂଚନା ଦିଆଯିବା ମାତ୍ରେ ଏକ Automated notification ନିକଟସ୍ଥ ପ୍ରଶାସନିକ ଓ ଆପାତକାଳୀନ ବିଭାଗଗୁଡ଼ିକୁ ଚାଲିଯିବ।
ଯେଉଁମାନଙ୍କ ପାଖକୁ ତୁରନ୍ତ ସୂଚନା ଯିବ:
- ସମ୍ପୃକ୍ତ ଅଞ୍ଚଳର ଆଞ୍ଚଳିକ ପରିବହନ ଅଧିକାରୀ
- ସ୍ଥାନୀୟ ପୋଲିସ ଷ୍ଟେସନ୍
- ମାଷ୍ଟର ଟ୍ରେନର
- ଉଦ୍ଧାରକାରୀ ଦଳ
ଏହି ସ୍ୱୟଂଚାଳିତ ବ୍ୟବସ୍ଥା ଦ୍ୱାରା ସମ୍ପୃକ୍ତ ଅଧିକାରୀ ଓ ଉଦ୍ଧାରକାରୀମାନେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସୂଚନା ପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚିପାରିବେ। ଫଳରେ ଗୋଲ୍ଡେନ୍ ଆୱାର୍ ମଧ୍ୟରେ ଆହତମାନଙ୍କୁ ଡାକ୍ତରଖାନା ପହଞ୍ଚାଇ ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରିବ।
ସଡ଼କ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବା ଏବଂ ଦୁର୍ଘଟଣା ପରବର୍ତ୍ତୀ ଜରୁରୀକାଳୀନ ସେବାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ଏହି ନୂତନ ପ୍ରୟାସ ବେଶ୍ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।




