ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅଗଷ୍ଟ ୨୨ ତାରିଖରେ ଆୟୋଜିତ ହେବ ‘ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍’। ଚଳିତବର୍ଷ ଏହି ପ୍ରତିଯୋଗିତାକୁ ବ୍ରୋଞ୍ଜ ସ୍ତରରୁ ସିଲଭର୍ ସ୍ତରକୁ ଉନ୍ନୀତ କରାଯାଇଛି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (AFI) ଏବଂ ୱାର୍ଲ୍ଡ ଆଥଲେଟିକ୍ସ ମିଳିତ ଭାବେ ଏହି ମିଟ୍‌ର ଆୟୋଜନ କରୁଛନ୍ତି।

ସୋମବାର ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ ସୂଚନା ଦେଇଛନ୍ତି ଯେ, ୨୦୨୮ରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱ ଓ ଏସୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ ପୂର୍ବରୁ ଏହି ମିଟ୍‌ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ପର୍ଯ୍ୟାୟ ହେବ।

୨୭ ଦେଶର ୧୮୮ ଆଥଲେଟ୍

ଏହି ଦିନିକିଆ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ୨୭ଟି ଦେଶର ୧୮୮ ଜଣ ଆଥଲେଟ୍ ଅଂଶଗ୍ରହଣ କରିବେ। ଏଥିରେ ୯୯ ଜଣ ବିଦେଶୀ ଓ ୮୮ ଜଣ ଭାରତୀୟ ଆଥଲେଟ୍ ରହିଛନ୍ତି। ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଭଳି ଦେଶରୁ ମଧ୍ୟ ଆଥଲେଟ୍‌ମାନେ ଅଂଶଗ୍ରହଣ କରିବେ।

ପୁରୁଷ ଓ ମହିଳା ବର୍ଗରେ ୯ଟି ଲେଖାଏଁ, ମୋଟ ୧୮ଟି ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟ ଅନୁଷ୍ଠିତ ହେବ। ବିଜେତାମାନଙ୍କୁ ନଗଦ ପୁରସ୍କାର ସହ ୱାର୍ଲ୍ଡ ରାଙ୍କିଂ ପଏଣ୍ଟ ମିଳିବ। ପ୍ରଥମ ସ୍ଥାନ ପାଇଁ ୧,୬୦୦ ଡଲାର, ଦ୍ୱିତୀୟ ସ୍ଥାନ ପାଇଁ ୧,୨୦୦ ଡଲାର ଏବଂ ତୃତୀୟ ସ୍ଥାନ ପାଇଁ ୯୦୦ ଡଲାର ପୁରସ୍କାର ରହିଛି।

ନଜରରେ ୩୬ ଷ୍ଟାର୍ ଆଥଲେଟ୍

ମିଟ୍‌ର ମୁଖ୍ୟ ଆକର୍ଷଣ ହେବେ ବିଶ୍ୱ ରାଙ୍କିଂର ଶ୍ରେଷ୍ଠ ୫୦ ମଧ୍ୟରେ ଥିବା ୩୬ ଜଣ ଆଥଲେଟ୍। ଏଥିରେ ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସର ୪୦୦ ମିଟର ବ୍ରୋଞ୍ଜ ପଦକ ବିଜେତା ମୁଜାଲା ସାମୁକୋଙ୍ଗା ଏବଂ ନାଇଜେରିଆର ଶଟ୍‌ପୁଟ୍ ତାରକା ଚୁକୱେବୁକା ଏନେକୱେଚିଙ୍କ ଭଳି ଖେଳାଳି ରହିଛନ୍ତି।

ଦର୍ଶକଙ୍କ ପାଇଁ ପ୍ରବେଶ ମାଗଣା

ଆଥଲେଟିକ୍ସ ପ୍ରତି ଛାତ୍ରଛାତ୍ରୀ, କ୍ରୀଡ଼ାପ୍ରେମୀ ଓ ସାଧାରଣ ଲୋକଙ୍କ ଆଗ୍ରହ ବଢ଼ାଇବା ପାଇଁ କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା ରଖାଯାଇଛି।

ୱାର୍ଲ୍ଡ ଆଥଲେଟିକ୍ସର ଉପସଭାପତି ଡ. ଆଦିଲେ ସୁମାରିୱାଲା ଓଡ଼ିଶା ସରକାରଙ୍କ କ୍ରୀଡ଼ା କ୍ଷେତ୍ରରେ ଅବଦାନକୁ ପ୍ରଶଂସା କରିଥିବା ବେଳେ ଏଥରର ସିଲଭର୍ ମିଟ୍‌ ଅତ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।