ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସିଆରପି ଛକରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ବଳରାମ ବେଉରା ବୋଲି ଚିହ୍ନଟ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୧୨ଟା ସମୟରେ ବଳରାମ ନିଜ ବାଇକ୍ ଯୋଗେ ଷ୍ଟୁଆର୍ଟ ସ୍କୁଲ ପଟୁ ଭିଆଇପି କଲୋନୀ ଅଭିମୁଖେ ଯାଉଥିଲେ। ଠିକ୍ ସେହି ସମୟରେ ନୟାପଲ୍ଲୀ ପଟୁ ବରମୁଣ୍ଡା ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ (ନମ୍ବର- OD02BN9697) ସିଆରପି ଟ୍ରାଫିକ୍ ପଏଣ୍ଟ ନିକଟରେ ତାଙ୍କ ବାଇକ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ବଳରାମ ପ୍ରାୟ ୨୦ ଫୁଟ୍ ଉପରକୁ ଛିଟିକି ପଡ଼ି ତଳେ କଚାଡ଼ି ହୋଇଯାଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକମାନେ ଦୁର୍ଘଟଣା ଘଟାଇଥିବା କାର୍କୁ ଘେରି ଯାଇଥିଲେ ଏବଂ କାର୍ ଚାଳକଙ୍କ ସମେତ ସେଥିରେ ଥିବା ଅନ୍ୟ ଦୁଇଜଣଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଖବର ପାଇ ସିଆରପି ଛକ ଫାଣ୍ଡି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ସମ୍ପୃକ୍ତ ତିନି ଜଣଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।
ଅନ୍ୟପକ୍ଷରେ, ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।




