ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ସଂସଦରୁ ରାଜରାସ୍ତା ପର୍ଯ୍ୟନ୍ତ ରାଜନୀତି ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି। ବିଧାନସଭା ଭିତରେ ବିରୋଧୀଙ୍କ ହଙ୍ଗାମା ପରେ ବୁଧବାର ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ର ଶହ ଶହ କର୍ମୀ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଏକତ୍ରିତ ହୋଇ ହାଇ-ଭୋଲ୍ଟେଜ ପ୍ରତିବାଦ ସହ ବିଧାନସଭା ଘେରାଉ ଉଦ୍ୟମ କରିଛନ୍ତି।
ପ୍ରତିବାଦକାରୀମାନେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ସରକାରବିରୋଧୀ ନାରାବାଜି କରିବା ସହ ବିଧାନସଭା ଆଡ଼କୁ ଅଗ୍ରସର ହେବାକୁ ଚେଷ୍ଟା କରିଥିଲେ। ପାଠ୍ୟପୁସ୍ତକରେ ହୋଇଥିବା ହଜାର ହଜାର ତ୍ରୁଟି ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କୁ ନୈତିକ ଭାବେ ଦାୟୀ କରି ବିଜେଡି ତାଙ୍କର ତୁରନ୍ତ ଇସ୍ତଫା ଦାବି କରିଛି। ଏଥିସହିତ, କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ଦାବି କରାଯାଇଛି।
ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଜେଡି କର୍ମୀ ଓ ନେତାମାନେ ଏହି ଆନ୍ଦୋଳନରେ ଯୋଗଦେବାକୁ ପହଞ୍ଚିଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିଧାନସଭା ଚାରିପାଖରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଗାନ୍ଧୀ ମାର୍ଗ ଏବଂ ତଳ ପିଏମଜି ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ବାହିନୀ ମୋତାୟନ କରାଯାଇଥିଲା।
ଅପରପକ୍ଷରେ, ବିଧାନସଭା ଭିତରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ପ୍ରବଳ ହଙ୍ଗାମା କରିଥିଲେ। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିବାରୁ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଗୃହ ମୁଲତବୀ ପରେ ବିଜେଡି ବିଧାୟକମାନେ ଗାନ୍ଧୀ ମାର୍ଗରେ ପହଞ୍ଚି ଆନ୍ଦୋଳନରତ ଯୁବ-ଛାତ୍ର କର୍ମୀଙ୍କ ସହ ଧାରଣାରେ ସାମିଲ ହୋଇଥିଲେ।




