ପୁରୀ: ପବିତ୍ର ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ଅବସରରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ‘ବାମନ ଜନ୍ମ’ ନୀତି କାନ୍ତି ଅନୁଷ୍ଠିତ ହେବାକୁ ଯାଉଛି। ବିଷ୍ଣୁଙ୍କ ପଞ୍ଚମ ଅବତାର ଭାବେ ପରିଗଣିତ ଭଗବାନ ବାମନଙ୍କ ଜନ୍ମୋତ୍ସବ ନୀତି ପାଇଁ ବୁଧବାର ସନ୍ଧ୍ୟାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ପ୍ରାୟ ୬ ଘଣ୍ଟା ପାଇଁ ବନ୍ଦ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ସୂଚନାନୁସାରେ, ସନ୍ଧ୍ୟା ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ସ୍ଥଗିତ ରହିବ।

ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ବୁଧବାର ମଧ୍ୟାହ୍ନ ଧୂପ ନୀତି ସମ୍ପନ୍ନ ହେବା ପରେ ଗୁପ୍ତ ନୀତିକାନ୍ତି ପରିଚାଳନା ପାଇଁ ଶ୍ରୀମନ୍ଦିରର ଜୟ-ବିଜୟ ଦ୍ୱାର ବନ୍ଦ କରାଯିବ।ଏହି ସମୟରେ କେବଳ ପୂଜାପଣ୍ଡା ଓ ନୀତି ସମ୍ପୃକ୍ତ ସେବାୟତମାନେ ମହାପ୍ରଭୁଙ୍କ ଗୁପ୍ତ ସେବା ପରିଚାଳନା କରିବେ।

ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ଜନ୍ମ ନୀତି ପାଇଁ ଶ୍ରୀମନ୍ଦିର ଗର୍ଭଗୃହରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥାଏ। ଭିତର ଚନ୍ଦନ ଅର୍ଗଳି ନିକଟରେ ପୂଜାପଣ୍ଡା ସେବକମାନେ ପଞ୍ଚବର୍ଣ୍ଣ ଗୁଣ୍ଡି (ମୁରୁଜ) ଦ୍ୱାରା ପବିତ୍ର ମଣ୍ଡଳ ଆଙ୍କିବେ। ଏହାପରେ ମହାପ୍ରଭୁଙ୍କ ବାମନ ସ୍ୱରୂପ ବିଜେ ପ୍ରତିମା (ସୁବର୍ଣ୍ଣ ବାମନ ମୂର୍ତ୍ତି)ଙ୍କୁ ପଞ୍ଚାମୃତରେ ସ୍ନାନ କରାଯାଇ ଶୀତଳ ଭୋଗ ଅର୍ପଣ କରାଯିବ। ପାରମ୍ପରିକ ପୂଜାର୍ଚ୍ଚନା ଏବଂ ଜନ୍ମ ବିଧି ସମ୍ପନ୍ନ ହେବା ପରେ ପ୍ରତିମାଙ୍କୁ ପବିତ୍ର ଖଣ୍ଡୁଆ ପାଟରେ ଆଚ୍ଛାଦିତ କରାଯିବ।

ନୀତିକାନ୍ତି ସମ୍ପୂର୍ଣ୍ଣ ହେବା ପରେ ରାତି ୧୧ଟା ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ପୁନର୍ବାର ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହେବ। ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଏହି ସମୟସୀମାକୁ ଧ୍ୟାନରେ ରଖି ଦର୍ଶନ ପାଇଁ ଆସିବାକୁ ଅନୁରୋଧ କରାଯାଇଛି।