ଭୁବନେଶ୍ୱର: ଭୁବନେଶ୍ୱର:ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ (ଦ୍ୱାଦଶ ଶ୍ରେଣୀ) ବାର୍ଷିକ ପରୀକ୍ଷା-୨୦୨୬ ର ଫଳାଫଳ ଆଜି ପ୍ରକାଶ ପାଇବ। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ (Vocational) ପାଠ୍ୟକ୍ରମ ସମେତ ସମସ୍ତ ବିଭାଗର ରେଜଲ୍ଟ ଏକାସଙ୍ଗେ ଘୋଷଣା କରାଯିବ।ଆନୁଷ୍ଠାନିକ ସୂଚୀ ଅନୁଯାୟୀ, ଆଜି ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ସମୟରେ CHSE କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଆନୁଷ୍ଠାନିକ ଭାବେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିବେ।
ଏହାପରେ ଅପରାହ୍ନ ୩ଟାରୁ ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ chseodisha.nic.in ଏବଂ results.odisha.gov.in ମାଧ୍ୟମରେ ନିଜର ସ୍କୋର ଚେକ୍ କରିପାରିବେ। ଏହାବାଦ୍ ଡିଜିଲକର (DigiLocker) ପ୍ଲାଟଫର୍ମରୁ ମଧ୍ୟ ବିଦ୍ୟାର୍ଥୀମାନେ ନିଜର ମାର୍କଶିଟ୍ ଡାଉନଲୋଡ୍ କରିପାରିବେ।ଚଳିତ ବର୍ଷ ପ୍ରାୟ ୪.୦୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ। ଗତ ଜାନୁଆରୀ ୨ ରୁ ଜାନୁଆରୀ ୧୫ ମଧ୍ୟରେ ପ୍ରାକ୍ଟିକାଲ୍ ପରୀକ୍ଷା ହୋଇଥିବା ବେଳେ ଫେବୃଆରୀ ୧୮ ରୁ ମାର୍ଚ୍ଚ ୨୬, ୨୦୨୬ ପର୍ଯ୍ୟନ୍ତ ଥିଓରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
ୱେବସାଇଟ୍ରେ ରେଜଲ୍ଟ ଦେଖିବା ପାଇଁ ଛାତ୍ରଛାତ୍ରୀମାନେ ନିଜର ରୋଲ୍ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବର ପ୍ରସ୍ତୁତ କରି ରଖିବାକୁ ପରାମର୍ଶ ଦିଆଯାଇଛି।ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ବର୍ଷଗୁଡ଼ିକରେ ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ଏବଂ ପରେ କଳା ବିଭାଗର ଫଳାଫଳ ପ୍ରକାଶ ପାଉଥିଲା। ମାତ୍ର ଚଳିତ ବର୍ଷ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇ ସମସ୍ତ ବିଭାଗର ରେଜଲ୍ଟ ଏକାଠି ପ୍ରକାଶ କରାଯାଉଛି, ଯାହାଦ୍ୱାରା ନାମଲେଖା ପ୍ରକ୍ରିୟା ଶୀଘ୍ର ଶେଷ ହୋଇପାରିବ ଏବଂ ଛାତ୍ରଛାତ୍ରୀଙ୍କ ସମୟ ବଞ୍ଚିବ।




