ଭୁବନେଶ୍ୱର: ଓଡ଼ିଶା ଏବଂ ସିଙ୍ଗାପୁର ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ତଥା ସଫଳ ବୈଠକ କରିଛନ୍ତି। ଭାରତରେ ଅବସ୍ଥାପିତ ସିଙ୍ଗାପୁରର ହାଇ କମିଶନର ସାଇମନ ୱଙ୍ଗଙ୍କ ସହ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶମୂଳକ କାର୍ଯ୍ୟକ୍ରମରେ ସିଙ୍ଗାପୁରର ସହଭାଗିତା ନେଇ ଆଲୋଚନା କରିଛନ୍ତି।ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ଉଭୟ ପକ୍ଷ କେତେକ ପ୍ରମୁଖ କ୍ଷେତ୍ରରେ ମିଳିତ ସହଯୋଗ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ବିଶେଷ କରି ସହରୀ ବିକାଶ, ସବୁଜ ଶକ୍ତି, ବନ୍ଦର ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବା ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଓଡ଼ିଶାର ଦୀର୍ଘକାଳୀନ ଦୂରଦୃଷ୍ଟି ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ରାଜ୍ୟ ବର୍ତ୍ତମାନ ‘ସମୃଦ୍ଧ ଓଡ଼ିଶା 2036’ର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି। ଏଥିସହ ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ 2047 ‘ ଜାତୀୟ ସଂକଳ୍ପରେ ମଧ୍ୟ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି।

ଏହି ବିକାଶ ଯାତ୍ରାରେ ସିଙ୍ଗାପୁର ଓଡ଼ିଶାର ଏକ ସ୍ୱାଭାବିକ ଏବଂ ବିଶ୍ୱସ୍ତ ବିକାଶମୂଳକ ଅଂଶୀଦାର ଭାବେ କାର୍ଯ୍ୟ କରୁଛି।ପୂର୍ବରୁ ସିଙ୍ଗାପୁର ରାଷ୍ଟ୍ରପତି ଡକ୍ଟର ଥରମାନ ଶନମୁଗରତ୍ନମଙ୍କ ଓଡ଼ିଶା ଗସ୍ତ ସମୟରେ ସ୍ୱାକ୍ଷରିତ ହୋଇଥିବା ବିଭିନ୍ନ ବୁଝାମଣାପତ୍ର ର ଆଶୁ କାର୍ଯ୍ୟକାରିତା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି।

ରାଜ୍ୟରେ ଅଧିକ ନିବେଶ ଆକୃଷ୍ଟ କରିବା ଏବଂ ସାଂସ୍ଥାନିକ ସହଯୋଗକୁ ମଜବୁତ କରିବା ପାଇଁ ଏକ ସୁସଂଗଠିତ ଯୋଗାଯୋଗ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି।