ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରୁ ୫ଟି ଦୁର୍ଲଭ ଓରାଂଉଟାନ୍‌ (Orangutans) ଉଦ୍ଧାର ହେବା ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଦୁର୍ଲଭ ବିଦେଶୀ ବନ୍ୟଜନ୍ତୁମାନେ କିପରି ଓଡ଼ିଶାକୁ ଆସିଲେ ଏବଂ ଏହା ପଛରେ କେଉଁ ସଂସ୍ଥା ବା ମାଫିଆ ସମ୍ପୃକ୍ତ ଅଛନ୍ତି, ସେ ନେଇ ଏକ ବିସ୍ତୃତ ଓ ସ୍ୱତନ୍ତ୍ର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସରକାରୀ ଗସ୍ତରେ ଦୁବାଇରେ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଏହି ଘଟଣାର ପ୍ରତ୍ୟେକଟି ଅପଡେଟ୍‌ ସମ୍ପର୍କରେ ନଜର ରଖିଛନ୍ତି। ବିଦେଶୀ ବନ୍ୟପ୍ରାଣୀ ଉଦ୍ଧାର ହେବା ଘଟଣାକୁ ନେଇ ସେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।

ଓରାଂଉଟାନ୍‌ମାନଙ୍କୁ ଆଣିବା ପାଇଁ କେଉଁ ରୁଟ୍ ବ୍ୟବହାର କରାଯାଇଥିଲା, ସେମାନେ କିପରି ଓଡ଼ିଶା ସୀମାରେ ପ୍ରବେଶ କଲେ ଏବଂ କେଉଁ ଉଦ୍ଦେଶ୍ୟରେ ସେମାନଙ୍କୁ ଆଣି ଚାଲାଣ କରାଯାଉଥିଲା, ସେସବୁର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବେଆଇନ ବିଦେଶୀ ବନ୍ୟଜନ୍ତୁ ଚାଲାଣ ପାଇଁ ଓଡ଼ିଶାକୁ କୌଣସି ପରିସ୍ଥିତିରେ ‘ଟ୍ରାଞ୍ଜିଟ୍‌ ରୁଟ୍‌’ ବା ମାଧ୍ୟମ ହେବାକୁ ଦିଆଯିବ ନାହିଁ। ଯଦି ଏହି ଘଟଣା ପଛରେ କୌଣସି ଆନ୍ତର୍ଜାତୀୟ କିମ୍ବା ସଂଗଠିତ ବନ୍ୟପ୍ରାଣୀ ଚୋରାଚାଲାଣକାରୀ ଗ୍ୟାଙ୍ଗ୍‌ର ହାତ ଥିବା ଜଣାପଡ଼େ, ତେବେ ସେମାନଙ୍କ ବିରୋଧରେ ଅତି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ବିଶାଳ ବନ୍ୟପ୍ରାଣୀ ଚୋରାଚାଲାଣ ରାକେଟ୍‌ର ଚେର ଖୋଜିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର, ୱାଇଲ୍ଡଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ଉଦ୍ଧାର ହୋଇଥିବା ଓରାଂଉଟାନ୍‌ମାନଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ନିୟମାବଳୀ ଅନୁଯାୟୀ ସମସ୍ତ ପ୍ରକାର ଆବଶ୍ୟକୀୟ ଡାକ୍ତରୀ ଚିକିତ୍ସା, ଉପଯୁକ୍ତ ସୁରକ୍ଷା ଏବଂ ଯତ୍ନ ଯୋଗାଇଦେବାକୁ ମଧ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।