ଭୁବନେଶ୍ୱର:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଏବେ ଶୀର୍ଷରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ସୋମବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ବିଜେପିର ଜଣେ ଷ୍ଟାର୍ ପ୍ରଚାରକ ଭାବରେ ଶ୍ରୀ ମାଝୀ ଓଡ଼ିଆ ବହୁଳ ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମାହୋଲ୍ ତିଆରି କରିବା ଏବଂ ସଂଗଠନକୁ ମଜବୁତ କରିବା ପାଇଁ ଏକ ‘ମାରାଥନ୍ କ୍ୟାମ୍ପେନ୍’ କରୁଛନ୍ତି।

ବାଗଦାରେ ବିଶାଳ ରୋଡ୍ ସୋ’ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାଗଦା ନିର୍ବାଚନ ମଣ୍ଡଳୀରେ ଏକ ବିଶାଳ ରୋଡ୍ ସୋ’ର ନେତୃତ୍ୱ ନେବେ। ଏହି ରୋଡ୍ ସୋ’ ମାଧ୍ୟମରେ ସେ ବିଜେପି ପ୍ରାର୍ଥୀଙ୍କ ପାଇଁ ଶକ୍ତି ପ୍ରଦର୍ଶନ କରିବା ସହ ସ୍ଥାନୀୟ ଜନସାଧାରଣଙ୍କୁ ଭୋଟ୍ ଦେବାକୁ ନିବେଦନ କରିବେ। ବାଗଦା ଏବଂ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଭୋଟରଙ୍କୁ ଯୋଡ଼ିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ରାଜାରହାଟରେ ଜନସଭା ଏବଂ ଓଡ଼ିଆ ସମାଜ ସହ ଆଲୋଚନା ରୋଡ୍ ସୋ’ ପରେ ମୁଖ୍ୟମନ୍ତ୍ରୀ ରାଜାରହାଟ ଠାରେ ଆୟୋଜିତ ଏକ ବଡ଼ ଜନସଭାକୁ ସମ୍ବୋଧିତ କରିବେ। ପଶ୍ଚିମବଙ୍ଗର ବିଭିନ୍ନ ପ୍ରାନ୍ତରେ, ବିଶେଷ କରି କୋଲକାତା ଏବଂ ଶିଳ୍ପାଞ୍ଚଳ ଗୁଡ଼ିକରେ ବହୁ ସଂଖ୍ୟାରେ ଓଡ଼ିଆ ଭାଷୀ ଲୋକ ବସବାସ କରନ୍ତି। ମୁଖ୍ୟମନ୍ତ୍ରୀ ମାଝୀ ଏହି ଓଡ଼ିଆ ପ୍ରବାସୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ସେ ସେମାନଙ୍କୁ ବିଜେପିର ନୀତି ଏବଂ ଓଡ଼ିଶାରେ ହୋଇଥିବା ବିଭିନ୍ନ ପରିବର୍ତ୍ତନ ସମ୍ପର୍କରେ ଅବଗତ କରାଇବା ସହ ବିଜେପି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ‘ଗୁରୁମନ୍ତ୍ର’ ଦେବେ।

ପଶ୍ଚିମବଙ୍ଗରେ ଅପ୍ରେଲ ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ, ସୋମବାର ସନ୍ଧ୍ୟାରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଶବ୍ଦ ଥମିଯିବ। ଏହି ପର୍ଯ୍ୟାୟରେ ମୋଟ୍ ୧୪୨ଟି ଆସନରେ ମତଦାନ ହେବ, ଯାହା କ୍ଷମତା ହାସଲ କରିବା ପାଇଁ ଅତ୍ୟନ୍ତ ନିର୍ଣ୍ଣାୟକ ବୋଲି କୁହାଯାଉଛି। ଏହି କାରଣରୁ ବିଜେପି ନିଜର ପୂରା ଶକ୍ତି ଲଗାଇ ଦେଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗସ୍ତ ପୂର୍ବରୁ ରବିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରୋଡ୍ ସୋ’ ମାଧ୍ୟମରେ ପ୍ରଚାର କରିଥିଲେ। ବିଜେପି ନେତୃତ୍ୱଙ୍କ ବିଶ୍ୱାସ ରହିଛି ଯେ, ମୁଖ୍ୟମନ୍ତ୍ରୀ ମାଝୀଙ୍କ ଉପସ୍ଥିତି ଦ୍ୱାରା କେବଳ ଓଡ଼ିଆ ଭୋଟରଙ୍କ ଆଭିମୁଖ୍ୟ ବିଜେପି ଆଡ଼କୁ ବଢ଼ିବ ନାହିଁ, ବରଂ ସୀମାନ୍ତ ଅଞ୍ଚଳରେ ଦଳୀୟ କର୍ମକର୍ତ୍ତାଙ୍କ ମନୋବଳ ମଧ୍ୟ ଦୃଢ଼ ହେବ।