କଟକ: ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ, ପୂର୍ବତନ ବିଧାୟକ ମୋକିମ୍ ଏବଂ କଟକ-ବାରବାଟୀ ବିଧାୟିକା ସୋଫିଆ ଫିରଦୋଷଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।ସମ୍ପ୍ରତି ଅନୁଷ୍ଠିତ ନିର୍ବାଚନରେ ସୋଫିଆ ଫିରଦୋଷ ତାଙ୍କୁ ଭୋଟ ଦେଇ ସହଯୋଗ କରିଥିବାରୁ, ଦିଲ୍ଲୀପ ରାୟ ତାଙ୍କୁ ଧନ୍ୟବାଦ ଜଣାଇବାକୁ ଆସିଥିଲେ।
ମୋକିମ ଓ ସୋଫିଆଙ୍କ ସହଯୋଗ ଯୋଗୁଁ ହିଁ ସେ ବିଜୟୀ ହୋଇଥିବା କହିଛନ୍ତି ସାଂସଦ ଦିଲ୍ଲୀପ ରାୟ। ଏହି ସାକ୍ଷାତକାରକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ମହମ୍ମଦ ମୋକିମ କହିଛନ୍ତି ରାଜନୈତିକ ଗସ୍ତ ନୁହେଁ, ବରଂ ଏକ ବ୍ୟକ୍ତିଗତ ସୌଜନ୍ୟମୂଳକ ସାକ୍ଷାତ। ଦିଲ୍ଲୀପ ରାୟଙ୍କ ସହ ତାଙ୍କର ସମ୍ପର୍କ ବହୁତ ପୁରୁଣା।
ଶ୍ରୀ ରାୟ କଟକ ଚଣ୍ଡୀଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ସୌଜନ୍ୟମୂଳକ ଭାବେ ମୋକିମଙ୍କ ଘରକୁ ଆସିଥିଲେ।ମୋକିମ ସ୍ପଷ୍ଟ କରିଛନ୍ତି ଯେ ସୋଫିଆ କଂଗ୍ରେସ ଟିକେଟରେ ଜିତିଛନ୍ତି ଏବଂ ୨୦୨୯ ପର୍ଯ୍ୟନ୍ତ ସେ କଂଗ୍ରେସ ବିଧାୟିକା ଭାବେ କାର୍ଯ୍ୟ କରିବେ।
ମୋକିମ କହିଛନ୍ତି ଯେ ୨୦୨୯ ପରେ ଯଦି ସୋଫିଆ କୁଆଡେ ଯିବେ, ତେବେ ସେ ‘ଓଡ଼ିଶା ଜନତା କଂଗ୍ରେସ’କୁ ହିଁ ଯିବେ। ତେବେ ଏହି ସାକ୍ଷାତକାର ରାଜନୈତିକ ମହଲରେ କୌତୂହଳ ସୃଷ୍ଟି କରିଥିଲେ ସୁଦ୍ଧା, ମୋକିମ ଏହାକୁ କେବଳ ବ୍ୟକ୍ତିଗତ ସମ୍ପର୍କ ଓ କୃତଜ୍ଞତା ଜ୍ଞାପନର ଏକ ମାଧ୍ୟମ ବୋଲି ଦର୍ଶାଇଛନ୍ତି।




