କଟକ: ଐତିହାସିକ ବାଲିଯାତ୍ରାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିପାଇଁ ତଳ ଓ ଉପର ବାଲିଯାତ୍ରା ପଡ଼ିଆର ୫ କିଲୋମିଟର ପରିଧିକୁ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା କରାଯାଇଛି। ନଭେମ୍ବର ୨୨ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବାଲିଯାତ୍ରାରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ଅନେକ VVIP ଓ VIP ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଜନସୁରକ୍ଷା ଓ ବିଶିଷ୍ଟ ଅତିଥିଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନିଆଯାଇଛି।

କେଉଁ କେଉଁ ଉଡ଼ନ୍ତା ଯନ୍ତ୍ର ଉପରେ କଟକଣା?

ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ନିର୍ଦ୍ଧାରିତ ଅଞ୍ଚଳ ମଧ୍ୟରେ ଡ୍ରୋନ୍‌ ଓ ମାନବବିହୀନ ବିମାନ (UAV) ଉଡ଼ାଣ ନିଷିଦ୍ଧ କରାଯାଇଛି। ଏହା ସହ ପାରାଗ୍ଲାଇଡର୍‌, ପାରାମୋଟର୍‌, ପାୱାର ହ୍ୟାଙ୍ଗ୍‌ ଗ୍ଲାଇଡର୍‌, ମାଇକ୍ରୋଲାଇଟ୍‌ ବିମାନ ଓ ହଟ୍‌ ଏୟାର ବେଲୁନ୍‌ ଉଡ଼ାଇବା ଉପରେ ମଧ୍ୟ କଟକଣା ଲାଗୁ ହୋଇଛି।

ଏହି ନିର୍ଦ୍ଦେଶ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ୨୦୨୩ର ଧାରା ୧୪(୧) ଏବଂ ଧାରା ୧୬୩ ଅନୁଯାୟୀ ଜାରି କରାଯାଇଛି। ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ଉପକରଣ ଜବତ କରାଯିବା ସହ ଆଇନ ଅନୁଯାୟୀ ଦଣ୍ଡବିଧାନ ହେବ। ତେବେ ନିର୍ଦ୍ଦିଷ୍ଟ ଅଞ୍ଚଳ ଓ ସମୟ ମଧ୍ୟରେ ଏଭଳି ଉପକରଣ ବ୍ୟବହାର ପାଇଁ ଆବଶ୍ୟକ ଅନୁମତି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜୁଡିସିଆଲ୍‌ ସେକ୍ସନ୍‌ରୁ ନେବାକୁ ପଡ଼ିବ।

ରାତି ୧୧ଟା ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ

ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି। ତଳ ବାଲିଯାତ୍ରା ପଡ଼ିଆର ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ନଭେମ୍ବର ୨୪ରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାତି ୧୧ଟା ଯାଏଁ ସାଉଣ୍ଡ ସିଷ୍ଟମ୍‌ ଓ ଲାଉଡ୍‌ସ୍ପିକର ବ୍ୟବହାରକୁ ଅନୁମତି ମିଳିଛି। ଶବ୍ଦ ପ୍ରଦୂଷଣ (ନିୟନ୍ତ୍ରଣ ଓ ନିୟାମନ) ନିୟମାବଳୀ, ୨୦୦୦ର ଧାରା ୫(୩) ଅନୁଯାୟୀ ଏହି ଅନୁମତି ଦିଆଯାଇଛି।

ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ଯାଏଁ ମହାନଦୀ କୂଳରେ ଆୟୋଜିତ ହେବ ବାଲିଯାତ୍ରା। ଏଥିରେ ଦେଶବିଦେଶର ବିଭିନ୍ନ ସାଂସ୍କୃତିକ ଦଳ ଯୋଗଦେବା ସହ ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ, କଳା ଓ ସଂସ୍କୃତି ପ୍ରଦର୍ଶିତ ହେବ। ନିର୍ଦ୍ଦେଶାବଳୀର କାର୍ଯ୍ୟକାରିତା ତଦାରଖ ପାଇଁ କଟକର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ନୋଡାଲ୍‌ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।