କଟକ: କଟକ ସହରର ପ୍ରେସ ଛକ ସ୍ଥିତ ମାଛ ବଜାରରେ ରବିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଭୀଷଣ ନିଆଁରେ ସମ୍ପୂର୍ଣ୍ଣ ମାଛ ବଜାର ଜଳି ପାଉଁଶ ହୋଇଯାଇଥିବା ବେଳେ ବଜାର ଉପର ମହଲାରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ (BOI) ଶାଖାକୁ ମଧ୍ୟ ନିଆଁ ବ୍ୟାପି ଯାଇଛି। ବ୍ୟାଙ୍କ ଭିତରେ ଥିବା ଲକ୍ଷ ଲକ୍ଷ ଟଙ୍କାର କରେନ୍ସି ନୋଟ୍ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଆସବାବପତ୍ର ସମ୍ପୂର୍ଣ୍ଣ ଭସ୍ମ ହୋଇଯାଇଥିବା ଆଶଙ୍କା କରାଯାଉଛି।

ରିପୋର୍ଟ ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ସମୟରେ ଏହି ନିଆଁ ଲାଗିଥିଲା। ବିଲ୍ଡିଂ ଭିତରେ ଏକ ରଙ୍ଗ ଗୋଦାମ (Paint Godown) ଥିବାରୁ ନିଆଁ ଅତି ଦ୍ରୁତ ଗତିରେ ବ୍ୟାପି ଯାଇଥିଲା। ଫଳରେ ନିଆଁକୁ ଆୟତ୍ତ କରିବା ଅଗ୍ନିଶମ ବାହିନୀ ପାଇଁ ବେଶ୍ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପଡ଼ିଥିଲା। ନିଆଁ ଲିଭାଇବା କାର୍ଯ୍ୟରେ ପ୍ରାୟ ୧୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି। ପ୍ରବଳ କଳା ଧୂଆଁ ବାହାରୁଥିବାରୁ ଏବେ ବି ନିଆଁ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିପାରି ନାହିଁ।

ପ୍ରାଥମିକ ଆକଳନ ଅନୁଯାୟୀ, ମାଛ ବ୍ୟବସାୟୀମାନଙ୍କର ପ୍ରାୟ ୫୦ ରୁ ୬୦ ଲକ୍ଷ ଟଙ୍କାର ନଗଦ କ୍ୟାଶ୍ ଜଳି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡ ପ୍ରାୟ ୧୭ ଜଣ ମାଛ ବ୍ୟବସାୟୀଙ୍କ ଜୀବନଜୀବିକାକୁ ଉଜାଡ଼ି ଦେଇଛି। ସେମାନଙ୍କ ଦୋକାନ, ଦାମୀ ଡିପ୍ ଫ୍ରିଜର୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ବ୍ୟବସାୟୀମାନେ ନିଜର ସାରା ଜୀବନର ସଞ୍ଚୟ ହରାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ବ୍ୟାଙ୍କ ଶାଖାଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସ୍ୱୀକାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଅଗ୍ନିଶମ କର୍ମଚାରୀମାନେ ଧୂଆଁ ଭିତରକୁ ପଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣାର ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।