ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଏକ ସପ୍ତାହ ବ୍ୟାପୀ ଗସ୍ତରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ନବୀନଙ୍କ ଏହି ୭ ଦିନିଆ ଦିଲ୍ଲୀ ଗସ୍ତକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କୌଣସି ରାଜନୈତିକ କାର୍ଯ୍ୟକ୍ରମ ପାଇଁ ନୁହେଁ, ବରଂ ଏହା ସମ୍ପୂର୍ଣ୍ଣ ଭାବେ ଏକ ବ୍ୟକ୍ତିଗତ ଏବଂ ପାରିବାରିକ ଗସ୍ତ। ନବୀନ ପଟ୍ଟନାୟକ ମୁଖ୍ୟତଃ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ଏବଂ ତାଙ୍କ ସହ କିଛି ସମୟ ଅତିବାହିତ କରିବା ପାଇଁ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀ ରହଣି କାଳରେ ସେ ଭାଇଙ୍କ ଚିକିତ୍ସା ସମ୍ପର୍କରେ ସେଠାକାର ବରିଷ୍ଠ ଡାକ୍ତରମାନଙ୍କ ସହ ଆଲୋଚନା ମଧ୍ୟ କରିପାରନ୍ତି।
ନବୀନଙ୍କ ଏହି ଗସ୍ତ ପାରିବାରିକ ବୋଲି କୁହାଯାଉଥିଲେ ହେଁ, ଜାତୀୟ ରାଜଧାନୀରେ ତାଙ୍କର ସପ୍ତାହେ ବ୍ୟାପୀ ରହଣିକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଚର୍ଚ୍ଚା ହେଉଛି ଯେ, ଦିଲ୍ଲୀରେ ଥିବା ସମୟରେ ବିଜେଡି ସୁପ୍ରିମୋ କିଛି ବରିଷ୍ଠ ରାଜନୈତିକ ନେତା ଏବଂ ଜାତୀୟ ସ୍ତରର ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରିପାରନ୍ତି। ତେବେ ତାଙ୍କର ସମ୍ଭାବ୍ୟ ରାଜନୈତିକ କାର୍ଯ୍ୟକ୍ରମ ଏବଂ ସାକ୍ଷାତକାର ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସୂଚନା ମିଳିନାହିଁ।




