ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ଜାରି ରହିଥିବା ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଓଡ଼ିଶାର ଏକାଧିକ ଜିଲ୍ଲାରେ ଆଜି ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନଗୁଡ଼ିକ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ନୟାଗଡ଼ ଜିଲ୍ଲାରେ ବାତ୍ୟା ଜନିତ ବର୍ଷା ଓ ପ୍ରବଳ ପବନ ଜାରି ରହିଥିବାରୁ ଛୁଟି ଅବଧିକୁ ପୁଣି ବୃଦ୍ଧି କରାଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁସ୍ମିତା ରଥଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଏବଂ କଲେଜ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।
ଅବିଶ୍ରାନ୍ତ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଘନଶ୍ୟାମ ମେହେର ସୂଚନା ଦେଇଛନ୍ତି। ସେହିପରି ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାରେ ମଧ୍ୟ ଆଜି ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି।
କଳାହାଣ୍ଡି ଜିଲ୍ଲାରେ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରି ଜିଲ୍ଲା ପ୍ରଶାସନ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଘୋଷଣା କରିଛି। ଏଥିରେ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ, ବେସରକାରୀ ଶିକ୍ଷାନୁଷ୍ଠାନ ସମେତ ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଏକଲବ୍ୟ ବିଦ୍ୟାଳୟ ଅନ୍ତର୍ଭୁକ୍ତ। ତେବେ ଏହି ଛୁଟି କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ବେଳେ ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀମାନେ ନିୟମିତ ଭାବେ ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହିବେ ବୋଲି ସ୍ପଷ୍ଟ କରାଯାଇଛି।




